Unknown

 

 

 

 

 

 

 

 

 

 

ଶିଶୁଗୀତ

ଭକ୍ତକବି ମଧୁସୂଦନ ରାଓ

 

ପରମେଶ୍ୱର

 

ଯାହା ମୁଁ କରଇ, ଯାହା ମୁଁ କହଇ,

ଯାହା ମୁଁ ଚିନ୍ତଇ ମନେ,

ଜଗତର କର୍ତ୍ତା ପରମ-ଈଶ୍ୱର

ଜାଣୁଛନ୍ତି ପ୍ରତିକ୍ଷଣେ ।

ମୋ ପାଶେ ଅଛନ୍ତି ଦିବସ ରଜନୀ

ମହାପ୍ରଭୁ ପରାତ୍ପର,

ଏ କଥା ସୁମରି ହୃଦୟେ ତାହାଙ୍କୁ

ପୂଜିବି ମୁଁ ନିରନ୍ତ ।

ସ୍ତବ

କି ସୁନ୍ଦର ଆହା, କି ଆନନ୍ଦମୟ

ଏହି ବିଶାଳ ସଂସାର,

ଧନ୍ୟ ମହାପଭ୍ରୁ, ମହିମା ତୁମ୍ଭର,

ଅଟେ ଅନନ୍ତ ଅପାର ।

ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭର ଆଜ୍ଞାରେ

ବରଷନ୍ତି ଜ୍ୟୋତିରାଶି,

ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ

ହସଇ ଆନନ୍ଦେ ଭାସି ।

ପିତା ମାତା ବନ୍ଧୁ ଭାଇ ଭଗିନୀର

ହୃଦୟେ ଦେଇଛ ପ୍ରୀତି,

ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ

ସୁଖ ଭୁଞ୍ଜି ନିତି ନିତି ।

ଦିଅ ଭକ୍ତି ପ୍ରଭୁ, ହୃଦୟେ ମୋହର,

ବିରାଜ ନିତ୍ୟ ତହିଁରେ,

ସତ୍ୟପଥେ ରହି ତୁମ୍ଭରି ଆଶ୍ରାରେ

ଯାଉ ମୋ ଦିନ ମହୀରେ ।

ସୁନ୍ଦର ସଂସାର

ଆକାଶ ଦିଶେ କି ସୁନ୍ଦର,

 

ତାହାକୁ ରଚିଲେ ଈଶ୍ୱର ।

ଉଜ୍ଜ୍ୱଳ ସୂର୍ଯ଼୍ୟ ଚନ୍ଦ୍ର ତାରା,

 

ନୀଳ ସମୁଦ୍ର ଶ୍ୟାମଧରା ।

ପର୍ବତ ନଦୀ ତରୁମାନ,

 

ସୃଜିଲେ ପ୍ରଭୃ ଭଗବାନ ।

ନାନା ବର୍ଣ୍ଣର ଫୁଲ ମାଳ,

 

ବୃକ୍ଷର ପଲ୍ଲବ କୋମଳ ।

ମନୁଷ୍ୟ ପଶୁ ପକ୍ଷୀ ଆଦି,

 

ସକଳ ସୃଜିଲେ ଅନାଦି ।

ତାଙ୍କରି ଆଜ୍ଞାରେ ପବନ,

 

ସର୍ବତ୍ର କରେ ବିଚରଣ

ଅଗ୍ନି ତାଙ୍କର ଆଦେଶରେ,

 

ଉତ୍ତାପ ତେଜ ଦାନକରେ ।

ଈଶ୍ୱର ଦୟାର ସାଗର,

 

ତାଙ୍କର ମହିମା ସୁମର ।

 

ଛାନ୍ଦମାଳା

ପ୍ରଭାତ

 

(ନଟବାଣୀ ବୃତ୍ତ)

ଚଉଦିଗ ଘୋଟିଥିଲା ଅନ୍ଧକାର,

ନୀରବ ନିଶ୍ଚଳ ଥିଲା ଏ ସଂସାର ।

ଧରଣୀ କୋଳରେ ଜୀବଜନ୍ତୁଗଣ,

ନିଦ୍ରାମାୟାବଳେ ଥିଲେ ଅଚେତନ ।

ପୂର୍ବ ଆକାଶରେ ବିରାଜିଲା ଜ୍ୟୋତି,

କ୍ଷଣକେ ଜାଗିଲା ସର୍ବ ବସୁମତୀ ।

ବିହଙ୍ଗନାଦରେ ପୂରିଲା ଜଗତ,

ଆକାଶ ସାଗର କାନନ ପର୍ବତ ।

କୋଇଲି ଦୟାଳୁ କଜଳପାତିର

କାକଳିକୁ ବହିଆଣଇ ସମୀର ।

କାଆ କାଆ ରାବେ ଘରେ ଘରେ ରାଇ,

କୁଆଏ ବୁଲନ୍ତି ଜଗତ ଜଗାଇ ।

ଚାହୁଁ ଚାହୁଁ ରବି ଉଇଁଲା ଗଗନେ,

ଜୀବର ଚହଳପଡ଼ିଲା ଭୁବନେ ।

ନବପ୍ରାଣ ଲଭି ଧାଇଁଲେ ସରବେ,

ଯେ ଯାହା କାର୍ଯ୍ୟରେ ଗମିଲେ ମାନବେ ।

କୃଷକ ବିଲକୁ ଯାଉଛି ବହନ,

ଗୋଠକୁ ଗଉଡ଼ ନେଉଛି ଗୋଧନ ।

ହର୍ଷେ ଶିଶୁଗଣ ପୋଥି ଧରି ହାତେ,

ଚାଟଶାଳୀ ଯାନ୍ତି ଆନନ୍ଦେ ପ୍ରଭାତେ ।

ସୁନ୍ଦର କମଳ ଫୁଟି ସରୋବରେ,

ଧୀରେ ଦୋହଲଇ ବାୟୁ ପରଶରେ ।

ନାନା ଜାତି ଫୁଲ ପୁଟିଛି କାନନେ,

ଭ୍ରମଇ ଭ୍ରମର ଆନନ୍ଦିତ ମନେ ।

ଶିଶିରର ବିନ୍ଦୁ ମୁକୁତା ପରାଏ,

ପୁଷ୍ପେ ପତ୍ରେ ଆହା କେଡ଼େ ଶୋଭାପାଏ !

ବାଳକବାଳିକା ଧରିଣ ଚାଙ୍ଗୁଡ଼ି,

ଫୁଲ ତୋଳୁଛନ୍ତି ଦଉଡ଼ି ଦଉଡ଼ି

ଏକାଳେ ବାଳକେ ଜାଗି ଆନନ୍ଦରେ,

ସୁମର ହୃଦୟେ ଜଗତ – ଈଶ୍ୱରେ ।

ତାଙ୍କରି କୃପାରୁ ପାଇଲ ପ୍ରଭାତ,

ଭକ୍ତିଭରେ ତାଙ୍କୁ କର ପ୍ରଣିପାତ ।

 

ବସନ୍ତ

(ରାଗ- ଚକ୍ରକେଳି)

 

ଆସଇ ବସନ୍ତ ଶିଶିର ଅନ୍ତେ,

ଦିଶଇ ଧରଣୀ ଚାରୁ କେମନ୍ତେ ।

ସୌନ୍ଦର୍ଯ୍ୟ - ତରଙ୍ଗେ ଭାସଇ ମହୀ,

ଭୁବନ ଆନନ୍ଦ ନୁହଇ କହି ।

ଦକ୍ଷିଣ ଦିଗରୁ ବହେ ମୃଦୁଳ,

ପରିମଳମୟ ମଳୟାନିଳ,

କୁସୁମେ ମଣ୍ଡିତ ଦ୍ରୁମଲତାଏ,

ସରୋବରେ ପଦ୍ମ କି ଶୋଭାପାଏ !

ବନସ୍ଥଳୀ ପୂର୍ଣ୍ଣ ବିହଙ୍ଗଗୀତେ,

ଶ୍ରବଣେ ଆନନ୍ଦ ଉପୁଜେ ଚିତ୍ତେ ।

ମଧୁମୟ ଚାରୁ ମଧୁକାଳରେ,

ନବହର୍ଷେ ମତ୍ତ ପ୍ରାଣନିକରେ ।

ଭ୍ରମଇ ଭ୍ରମର ଆନନ୍ଦମନେ,

ମଧୁପାନ କରି କୁସୁମବନେ ।

ନବୀନ ପଲ୍ଳବ ନବ କୁସୁମ

ଧରିଅଛି ଦେହେ ରସାଳଦ୍ରୁମ ।

ଡାଳେ ବସି ପିକ ଆନନ୍ଦଗୀତ

ଗାଇଣ ମଧୁରେ ହରଇ ଚିତ୍ତ ।

ବନେ କରୀ – ଯୂଥ କୁରଙ୍ଗକୁଳ

ବସନ୍ତ –ଆମାଦେ ହୋଇ ଆକୁଳ

ବୁଲନ୍ତି ହରଷେ ପବନମୁଖେ,

ପୁଷ୍ପପରିମଳ ଆଘ୍ରାଣି ସୁଖେ ।

ସୁନ୍ଦର ପଲ୍ଲବ ପୁଷ୍ପସ୍ତବକେ,

ସର୍ବାଙ୍ଗ ମଣ୍ତିତ ଦେଖ ଆଶୋକେ ।

ହଳଦିବସନ୍ତ ତଥି ଉପରେ,

କରଇ ସଙ୍ଗୀତ ମଧୁର ସ୍ୱରେ ।

ରକ୍ତବର୍ଣ୍ଣ ରମ୍ୟ ପଲାଶବନ

ଦୂରରୁ ହରଇ ନୟନ - ମନ ।

ମାମିନୀ ନିଆଳୀ ଗୋଲାପ ଫୁଲ

ଫୁଟିବାରୁ ଉପବନ ମଞ୍ଜୁଳ ।

ନିର୍ଝରିଣୀ ଝରଝର ଶବଦେ

ବହଇ କାନନେ ଶଇଳପଦେ ।

ଜଳ ସ୍ଥଳ ଗିରି ବନ ଆକାଶ,

ଚଉଦିଗେ କରେ ଶୋଭା ପ୍ରକାଶ ।

ଦିବସ ରଜନୀ ପ୍ରଦୋଷ ଉଷା,

ସର୍ବେ ପିନ୍ଧିଛନ୍ତି ବସନ୍ତଭୂଷା ।

ଶିଶୁଗଣ ଏବେ ହରଷେ ରତ,

ଫୁଲ – ଉପବନେ ବୁଲି ସନ୍ତତ,

କୁସୁମପରାଗ ମୁଖରେ ବୋଳି,

ଧରି ପ୍ରଜାପତି କୁସୁମ ତୋଳି,

ନାନାରଙ୍ଗେ ଖେଳି ତରୁତଳରେ,

କରନ୍ତି ସଙ୍ଗୀତ ଆନନ୍ଦଭରେ ।

 

ଗ୍ରୀଷ୍ମ

(ରାଗ – ବଙ୍ଗଳାଶ୍ରୀ)

 

କ୍ରମେ ମଧୁଅନ୍ତେ            ଆସଇ ଜଗତେ

ଦାରୁଣ ନିଦାଘକାଳ,

ତୀକ୍ଷ୍‌ଣ ଶର ପ୍ରାୟେ       ବର୍ଷଇ ତପନ

ପ୍ରଚଣ୍ଡ କିରଣଜାଳ ।

ହୁତାଶନ ସମ            ତପନତାପରେ

ତପ୍ତ ମହୀକଳେବର,

ତପ୍ତ ଧୂଳିରାଶି            ତପତ ଅନିଳେ

ଉଡ଼ି ଘୋଟଇ ଅମ୍ବର ।

ପରିଶୁଷ୍କ ଏବେ             ସରୋବର ଜଳ

ନଦୀଦେହ କୃଶ ଅତି,

ଭେକ ମୀନ ଆଦି             ଜଳଚର ପ୍ରାଣୀ

ମରନ୍ତି ଲଭି ଦୁର୍ଗତି ।

ଆତପ – ସନ୍ତାପେ            ସନ୍ତାପିତ ସର୍ବେ

ପଶୁପକ୍ଷୀ – ଜୀବକୁଳ,

ଶୁଷ୍କ କଣ୍ଠ ତାଳୁ             ବିକଳ ଅଥୟ

ସରବେ ତୃଷା - ଆକୁଳ ।

ନୀରବ ନିଶ୍ଚଳ             ବିହଙ୍ଗ ନିକର

ତପତ ତରୁର ଡାଳେ,

ମୃଗ ବ୍ୟାଘ୍ର ହସ୍ତୀ            ମହିଷ ବରାହ

ଲୋଡ଼ନ୍ତି ଜଳ ବ୍ୟାକୁଳେ ।

ବହେ ସ୍ୱେଦବାରି             ସର୍ବେ ନରନାରୀ

ଗ୍ରୀଷ୍ମ- ସନ୍ତାପେ ଅସ୍ଥିର,

ବିଚଣାପବନେ କେହି            ବା ଚନ୍ଦନେ

ଶୀତଳନ୍ତି ସ୍ୱ-ଶରୀର ।

ନିର୍ଜନ ପ୍ରାନ୍ତରେ             ଚାଳନ୍ତେ ପଥିକ

ତୃଷ୍ଣା - ବିଭ୍ରାନ୍ତ- ନୟନେ,

ଦୂରେ ନିରେଖଇ            ରମ୍ୟ ମୃଗତୃଷ୍ଣା

ଅତି ଆନନ୍ଦିତ ମନେ ।

କଳାଭ୍ରମରକୁ             ଜିଣି ନୀଳିମାରେ

ଦିଶେ ମୃଗତୃଷ୍ଣା ଜଳ,

ଧାଆନ୍ତେ ପଥିକ            ଅଦୃଶ୍ୟ ହୁଅଇ

ପଥିକ ଆଶା ବିଫଳ ।

ପର୍ବତେ କାନନେ            ମହାଭୟଙ୍କର

ସଞ୍ଚରଇ ଦାବାନଳ,

ପ୍ରବଳ ବେଗରେ             ପୋଡ଼ି ବନଦେଶ

ତ୍ରାସଇ ଜୀବସକଳ ।

ନିଦାଘ ସମୟ            ହେଲେହେଁ ଦାରୁଣ

ଅଟେ ଜଗତର ମିତ୍ର,

ଜନମାଇ ମେଘ             ସାଧେ ପ୍ରାଣି -ହିତ

ବିଧିବିଧାନ ବିଚିତ୍ର ।

 

ବର୍ଷା

(ରାଗ - କଳହଂସକେଦାର)

 

ଆସନ୍ତେ ବର୍ଷାକାଳ ନିଦାଘ ଶେଷେ,

ଘୋଟଇ ମେଘମଳ ଆକାଶଦେଶେ ।

ଚମକଇ ବିଜୁଳି ମେଘଦେହରେ,

କମ୍ପଇ ବଜ୍ରନାଦେ ମହୀ-କାତରେ ।

କେତେବେଳେ ବା କଳା – ମେଘବକ୍ଷରେ,

ଶୋଭଇ ଇନ୍ଦ୍ରଧନୁ ସୁର୍ଯ୍ୟମୁଖରେ ।

ଅନାଇ ଜଳଧର ତୃଷ୍ଣା - ଆକୁଳ

ଚାତକେ ଆର୍ତ୍ତସ୍ୱରେ ମାଗନ୍ତି ଜଳ ।

ମୂଷଳଧାରେ ମେଘ ବରଷେ ନୀର,

ତେଣୁ ଶୀତଳ ତପ୍ତ ଧରାଶରୀର ।

ଜଳେ ପୂରଇ ନଦୀ ବିଲ ପୋଖରୀ,

ଶୋଭଇ କୃଷକର ଗୀତଲହରୀ ।

ବଢ଼ଇ ଲଙ୍ଘ କୂଳ ନଦୀନିକର,

ଧାଏଁ ପ୍ରବଳବେଗେ ସ୍ରୋତେ ପ୍ରଖର ।

ଭସାଇ ଗୃହଦ୍ୱାର ପଶୁ ମାନବେ,

ଉପାଡ଼ି ମହାଦ୍ରୁମେ ଗର୍ଜେ ଭୈରବେ ।

ଶ୍ୟାମଳ ଦୁର୍ବାଦଳେ ଶୋଭିତ ମହୀ,

ସାଧବବୋହୂ ତଥିପରେ ଶୋଭଇ ।

କଦମ୍ବ ନୀଳୋତ୍ପଳ ଚମ୍ପା ମାଳତୀ,

ଯୂଇ ଜାଇ ପୁନ୍ନାଗ ପ୍ରଫୁଲ୍ଲ ଅତି ।

ପୁଷ୍ପେ ଶୋଭିତ ଛଣପଟକିଆରି,

ସୁବର୍ଣ୍ଣ ଜିଣି କାନ୍ତି କି ମନୋହାରୀ !

ଜଳ ନିକଟେ ଉଚ୍ଚେ ଡାକଇ ଭେକ,

ମହାହରଷଭରେ ଡାକେ ଡାହୁକ ।

ନୀଳ ମେଘଦର୍ଶନେ ଆନନ୍ଦଭରେ

ମୟୂର ନୃତ୍ୟ କରେ ଗିରି – ବନରେ ।

ଏକାଳେ ଗିରିଶୋଭା ନୟନ ହରେ,

ମର୍ହିତ ଶୈଳଦେହ ଶୁଭ୍ର ନିର୍ଝରେ ।

ଶୁଭ୍ର ମେଘ – ମୁକୁଟ ଶୋଭେ ମସ୍ତକେ,

ତହିଁ ପୁଣି ବିଜୁଳି – ହୀରା ଝଟକେ ।

ବରଷାକାଳ ଅଟେ ମଙ୍ଗଳକାରୀ,

ପାଳଇ ପରଜାଙ୍କୁ ବରଷି ବାରି ।

ବାନ୍ଧବ ଅଟେ ତରୁ – ଲତା- ଜୀବର,

ପ୍ରକାଶଇ କରୁଣା ସେ ନିରନ୍ତର ।

 

ଶରତ୍‌

(ରାଗ – ମଙ୍ଗଳ)

 

ରୁଚିର ଶରଦକାଳ ବିରାଜିଲା ଆସି,

ହସିଲା ଧରଣୀରାଣୀ ଶୋଭା ପରକାଶି ।

କାଶତଣ୍ଡୀ ଫୁଲେ ମହୀ ଦିଶଇ ଧବଳ,

ସରୋବରେ ଫୁଟିଛନ୍ତି କୁମୁଦ କମଳ ।

ସୁନ୍ଦର ମାଳତୀ ଗଙ୍ଗଶିଉଳି ଟଗରେ

ଧବଳିତ ଉପବନ ଜନମନ ହରେ ।

ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ଅମ୍ବରେ,

ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ ।

ରଜନୀରେ ନୀଳକାଶେ ଚନ୍ଦ୍ରମା ଉଜ୍ଜ୍ୱଳ,

ବିରାଜଇ ଦଶଦିଶ କରିଣ ଧବଳ ।

ଉଜ୍ଜ୍ୱଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ,

ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ ।

ନଦୀ ପୁଷ୍କରିଣୀ ଜଳ ଏବେ ସୁନିର୍ମଳ,

କ୍ରୀଡ଼ନ୍ତି ହରଷେ ତହିଁ ଧଳା ହଂସଦଳ ।

ଧାନ୍ୟକ୍ଷେତ୍ରେ ପକ୍ୱ ଶାଳି ଦିଶଇ ସୁନ୍ଦର,

ଦରଶନେ ଆନନ୍ଦିତ ମନ କୃଷ୍ଣକର ।

ସୁନୀଳ ଅପରାଜିତା ଫୁଟିଅଛି ବନେ,

ବଧୂଲି କୁସୁମରଙ୍ଗ ତୋଷଇ ଲୋଚନେ ।

ଧରିଛି ଅଗସ୍ତି ଦ୍ରୁମ କୁସୁମମଞ୍ଜରୀ,

ବଙ୍କିମ ଦିଶଇ ଯାହା ବାଳଇନ୍ଦୁପରି ।

ପ୍ରଦୋଷେ ଫୁଟଇ ଜହ୍ନିଫୁଲ ଘରେ ଘରେ,

ବାଳକେ ତୋଳନ୍ତି ତାହା ମହା ଆନନ୍ଦରେ ।

ପ୍ରଫୁଲ୍ଲ କୁସୁମବନୁ ପୁଷ୍ପଗନ୍ଧ ହରି,

ଶୀତଳ ସୁରଭି ପଦ୍ମ – କାନନେ ସଞ୍ଚରି ।

ନଚାଇ ତରଙ୍ଗେ ନଦୀ- ସରୋବର – ନୀର,

ନଚାଇଣ ଶସ୍ୟାବଳୀ ବହଇ ସମୀର ।

ରଜନୀରେ କୁମାରୀଏ ମହା ଆନନ୍ଦରେ

ମଣ୍ଡିଣ ସୁନୀଳ କେଶ ଶୁଭ୍ର କୁସୁମରେ,

ତାରାବିମଣ୍ଡିତ ନୀଳ- ଗଗନକୁ ଚାହିଁ,

ହରନ୍ତି ମାନସ ନାନା – ରଙ୍ଗେ ଗୀତ ଗାଇ ।

 

ହେମନ୍ତ

(ରାଗ- ରାମକେରୀ)

 

ମଧୁର ଶରତ କାଳର କ୍ରମେ କ୍ରମେ ହୋଇଲା ଅନ୍ତ,

ଉପସ୍ଥିତ ଏବେ ଭୁବନେ ହିମମୟ ହେମନ୍ତ ।

ଦିନ କ୍ରମେ ହେଲା ନିଉନ ରାତି ବଢ଼ିଲା କ୍ରମେ,

ଦିନକର ତେଜ କମିଲା ହିମଋତୁ ଆଗମେ ।

ଉତ୍ତର ଦିଗରୁ ବହଇ ଅତି ଶୀତ ପବନ,

କାକର ପଡ଼ଇ ବହୁତ ପୋଡ଼ି କମଳବନ ।

ପବିତ୍ର ପ୍ରଭାତ ସମୟେ ନରେ ଭକତିଭରେ,

ସ୍ନାନ କରି ମତ୍ତ ପ୍ରଭୁଙ୍କ ନାମସଂକୀର୍ତ୍ତନରେ ।

ଫୁଟିଅଛି ନୀଳ କୁମୁଦ ନରଳ ନିର୍ମଳ ଜଳେ,

ସରୋବର ଦିଶେ ଶୋଭନ ଶୋଭା ବଚନ ବଳେ ।

ନାନାଜାତି ବନବିହଙ୍ଗେ ଶସ୍ୟକ୍ଷେତ୍ର ଆକୁଳ,

ଜଳେ ବିହରନ୍ତି ଆନନ୍ଦେ ହଂସ – କାଦମ୍ବକୁଳ

ନିଶାକାଳେ ମୃଗ ବରାହ ବନୁ ହୋଇ ବାହାର,

ଅଥୟ କରନ୍ତି କୃଷକେ ଶସ୍ୟ କରିଣ ଜୂର

ପକ୍ୱଶାଳିପୂର୍ଣ୍ଣ କେଦାର ଦେଖି କୃଷକଗଣେ,

ଗୀତ ଗାଇ ଶସ୍ୟ କାଟନ୍ତି ଅତି ପ୍ରଫୁଲ୍ଲମନେ ।

ଖଳା କରି ଗ୍ରାମସୀମାରେ ଧାନ ଅମଳ କରି,

ଗୃହକୁ ନିଅନ୍ତି ଆନନ୍ଦେ ବିଭୁଦୟା ସୁମରି ।

 

ଶିଶିର

(ରାଗ – ରାମକେରୀ)

 

ଚାହୁଁ ଚାହୁଁ ହେଲା ହେମନ୍ତ ପରିଣତ ଶିଶିରେ,

ଘୋର ଜାଡ଼ ମାଡ଼ିପଡ଼ିଲା କହୁଁ କହୁଁ ମହୀରେ ।

ଧନବନ୍ତ ଜନେ ଅଙ୍ଗରେ ଶୀତବସ୍ତ୍ର ବହିଲେ,

ଦରିଦ୍ରେ ଭାଗ୍ୟକୁ ଆଦରି ଶୀତକଷ୍ଟ ସହିଲେ ।

ରଜନୀରେ ତାରା ଚନ୍ଦ୍ରମା ପାଣ୍ଡୁବର୍ଣ୍ଣ ଦିଶିଲେ,

ଘୋଟିଲା କୁହୁଡ଼ି ଚୌଦିଗେ ଗ୍ରାମ କାନନ ବିଲେ ।

ଆଖୁକ୍ଷେତ ଦିଶେ ଯତନ, ଆଖୁଶାଳରେ ବସି,

ଗ୍ରାମକତା ଗ୍ରାମବାସୀଏ ଗଳ୍ପ କରନ୍ତି ହସି ।

ଆଖୁ ଭାଙ୍ଗି ରସ ମଧୁର ପିଇ ବାଳକଗଣ,

ବୁଲନ୍ତି ଚୌଦିଗେ, ହରଷେ ପୂରିଅଛି ବଦନ ।

ସ୍ୱର୍ଣ୍ଣକାନ୍ତିଜିଣ ସୋରିଷ ଶତବର୍ଗ କୁସୁମେ,

ଚଉଦିଗ ଅତି ଶୋଭିତ ଜନନୟନ ରମେ ।

କିବା ମନୋହର ସେ ଶୋଭା କାହିଁ ତା ପଟାନ୍ତର,

ଧରଣୀରାଣୀ କି ପିନ୍ଧିଛି ଚାରୁ ପୀତ- ଅମ୍ବର ।

ବାଡ଼ମାନଙ୍କରେ ଫୁଟିଛି ସୋମଫୁଲ ଧବଳ,

ଦିଶଇ ସୁନ୍ଦର ଯେମନ୍ତ ନଭେ ତାରକାଦଳ ।

ଶୀତ ଅନ୍ତେ ପୁଣି ଆସିବ ମଧୁମୟ ବସନ୍ତ,

ଧନ୍ୟ ଧନ୍ୟ ବିଶ୍ୱକାରଣ ତୋର ଦୟା ଅନନ୍ତ ।

 

ପୃଥିବୀ ପ୍ରତି

(ରାଗ-ବଙ୍ଗଳାଶ୍ରୀ)

 

ତୁହି ମା’ ଧରଣୀ            ଜନନୀ ମୋହର,

ଧରିଛୁ ମା’ ମୋତେ କୋଳେ;

ଲୋଟୁଅଛି ସିନ୍ଧୁ             ଚରଣେ ତୋହର

ଆହା କି ଉଲ୍ଲାସ- ଭୋଳେ ।

ରହିଛୁ ଅନାଇ            ଅନନ୍ତ ଗଗନେ

ଆନନ୍ଦରେ ଅନୁକ୍ଷଣ;

ସେ ମହାଗଗନ            ମହାଆନନ୍ଦରେ

ନିରେଖି ତୋ ଆନନ ।

ବିମଳ ପ୍ରଭାତେ            ପୁଣ୍ୟ ସାୟହକାଳେ

ଦିବାନିଶି ଅବିରଳ,

ତୋ ଶିରେ ଗଗନ             ଢାଳେ ଶୁଭ୍ରାଲୋକ

ଅବା ଛାୟା ସୁଶୀତଳ ।

ତୋହରି ସନ୍ତାନ            ଅଟେ ମୁଁ ଜନନୀ,

ତୋର ଦରଶନେ ପ୍ରାଣ

ତୋହରି ସନ୍ତାନ             ଅଟେ ମୁଁ ଜନନୀ,

ତୋର ଦରଶନେ ପ୍ରାଣ

ଉଛୁଳି ପଡ଼ଇ             ଆନନ୍ଦ –ଉଲ୍ଲାସେ,

ମଣଇ ମୁଁ ଭାଗ୍ୟବାନ ।

କେତେ କେତେ ଶୋଭା             ଧରିଛୁ ଜନନୀ

ତୋହର ବିପୁଳ ଦେହେ;

ମତୃସ୍ତନସମ            ନୀଳ ପର୍ବତରୁ

ନିର୍ଝର ଝରଇ ସ୍ନେହେ ।

ସୁଧାଧାରାସମ            ସରିତର ସ୍ରୋତ

ବହୁଅଛି ତୋ ବକ୍ଷରେ;

ସେ ଅମୃତ ପାନ            ସ୍ଥାବର ଜଙ୍ଗମ

କରୁଛନ୍ତି କି ସୁଖରେ ।

ନର ପଶୁ ପକ୍ଷୀ            କୀଟ ତରୁ ଲତା

କାମଧେନୁ ତୁ ସବୁରି;

ତୋହରି ପ୍ରସାଦେ            ସକଳ କାମନା

ଯାଉଅଛି ମା’ ଗୋ ପୂରି ।

ସ୍ନେହ – ରୋମାଞ୍ଚିତ             ଦୂର୍ବାଦଳମୟ

ତୋ ଶ୍ୟାମଳ ଅଙ୍କସ୍ଥଳ;

ସେ କୋମଳ କୋଳ      ଦେଖିଲେ ନୟନେ

ହୁଏ ହୁଏ ସୁଶୀତଳ ।

ସୁଚାରୁ କୁସୁମ             ସୁଧାମୟ ଫଳ

ରଖିଛୁ ମା’ ବସୁମତି !

ବନେ ଉପବନେ             ତରୁ ଲତା ଡାଳେ

ସଜାଇ ଯତନେ ଅତି ।

କାହାର ଆଦେଶେ            କରିଛୁ ମା’ ଏତେ

ଜୀବ ପାଇଁ ଆୟୋଜନ,

ସେ ଆଦି – ଜନନୀ             ଦରଶନ ଲାଗି

ବ୍ୟାକୁଳ ସଦା ମୋ ମନ ।

 

ମୋ ଜନନୀ

 

ପଡୁଅଛି ମନେ ମୋର ଶୈଶବର କଥା ହେ,

ଶୁଣ ଶିଶୁଗଣ;

ଆଜି କେତେ ସୁଖଦୁଃଖ କେତେ ପ୍ରିୟଜନ ମୁଖ

ଆକୁଳ ହୃଦୟେ ଆହା କରଇ ସ୍ମରଣ ହେ,

କରଇ ସ୍ମରଣ ।୧।

 

ନୟନେ ନାଚଇ ଆଜି ସୁନ୍ଦର ମୁଖ ହେ,

ପରମ ସୁନ୍ଦର,

ଆହା କିବା ସ୍ନେହଭରେ ହସି ହସି କି ଆଦରେ

ମୋ ଆଡ଼କୁ ବଢ଼ାନ୍ତି ମା’ କୋମଳ ଶ୍ରୀକର ହେ ।୨।

 

ଅତି ମଳିନ ମୋ ଅଙ୍ଗ ଧୂଳିଧୂସରିତ ହେ,

ପୋଛିଣ ଶ୍ରୀକରେ,

ମା’ ମୋର ଆନନ୍ଦମୟୀ ମଧୁର ବଚନ କହି

ଆନନ୍ଦେ ଧରନ୍ତି ମୋତେ ଅମୃତ ବକ୍ଷରେ ହେ ।୩।

 

ମାତାର ଅମୃତ ବକ୍ଷ ସ୍ୱର୍ଗସୁଖ ଜିଣି ହେ,

ଅତି ସୁଖମୟ,

କାହିଁ ପଟାନ୍ତର ତାର ରାଜ୍ୟ ବିଭବ କି ଛାର

କାହିଁ ଆଉ ସନ୍ତାନର ସେପରି ଆଶ୍ରୟ ହେ ।୪।

 

ମାତାର ଚୁମ୍ବନ ଆହା କି ଅମୃତମୟ ହେ,

ପଡୁଅଛି ମନେ;

ଦେଖି ମୋ ନୟନଜଳ ନିଜ ନିଜ ନେତ୍ର ଛଳଛଳ,

ସଜଳ ନୟନ ମୋର ଚୁମ୍ବିଲେ ଯତନେ ହେ ।୫।

 

ଏ କି ରେ ଦାରୁଣ ଦୃଶ୍ୟ ଦେଖଇ ନୟନ ହେ,

ଜନନୀ ମୋହର,

ଧରି ମୋ ପିତାଙ୍କ ପଦ କହନ୍ତି ମା’ ଗଦଗଦ,

ରଖ ରଖ ଏହି ଧନ ମୋର ହୃଦୟର ହେ ।୬।

 

ଏହା କହଅି ସମର୍ପିଣ ସନ୍ତାନ ଦୁଇଟି ହେ,

ପିତାଙ୍କ ଚରଣେ,

ଆହା ପୁଣ୍ୟ ଅଶ୍ରୁଜଳେ ଧୋଇ ବଦନକମଳେ

ମୁଦିଲେ ନୟନ ମାତା ଅନ୍ତିମ ଶୟନେ ହେ ।୭।

 

ଏସନେ ହରାଇ ମାତା, କାନ୍ଦିଲେ ବିକଳେ ହେ

ଜନକ ମୋହର,

ପୁତ୍ରଦ୍ୱୟ ଘେନି କୋଳେ ପୂରି ଗୃହ ଶୋକରୋଳେ

କାନ୍ଦିଲେ କାତରେ କେତେ ନିରାଶ ଅନ୍ତର ହେ ।୮।

 

ପାଞ୍ଚ ବର୍ଷ ଦିନୁ ମୁହିଁ ଅଟଇ ଅନାଥ ହେ,

ହରାଇ ଜନନୀ;

କିନ୍ତୁ ଆହା ବିଶ୍ୱପତି ଦୟାବହି ଦୁଃଖୀ ପ୍ରତି

ଦେଇଛନ୍ତି ମୋର ପ୍ରାଣେ ମହାସ୍ପର୍ଶମଣି ହେ ।୯।

 

ବିଶ୍ୱାସ – ପରଶମଣି ହୃଦୟେ ମୁଁ ଧରି ହେ,

ଦେଖଇ ପ୍ରତ୍ୟକ୍ଷେ;

ଦିବାନିଶି ଆକାଶରେ ଜଳେ ସ୍ଥଳେ ଚରାଚରେ

ମୋହରି ଜନନୀମୂର୍ତ୍ତି ଧରି ମୋତେ ବକ୍ଷେ ହେ ।୧୦।

 

ଉପଦେଶ

 

ବାଳକେ ଶୁଣ ହିତବାଣୀ,

କହିବି ଗୀତେ ମୁଁ ବଖାଣି ।

ଜ୍ଞାନୀ ଭକତ ରଷିଜନେ

ଭାଷିଲେ ଯାହା ପୁଣ୍ୟ ମନେ ।

 

ନାମେ ଭକ୍ତି

 

ଯାହାଙ୍କଠାରୁ ଏ ଜୀବନ,

ପିତାମାତାଦି ଧନ ଜନ ।

ଜନନୀ ଗର୍ଭ – ନିକେତନେ

ରଖିଲେ ଯେହୁ ସଯତନେ ।

ଅନନ୍ତ ଦୟା ଯାହାଙ୍କର,

ରକ୍ଷା କରଇ ନିରନ୍ତର ।

ସେ ଆଦିଦେବ ମହେଶ୍ୱରେ,

ସନ୍ତତେ ଚିନ୍ତ ଭକ୍ତିଭରେ

ଅଛନ୍ତି ପ୍ରଭୁ ପ୍ରାଣେ ପ୍ରାଣେ,

ଧନ୍ୟ ସେ ତାଙ୍କୁ ଯେହୁ ଜାଣେ

ତାଙ୍କୁ ଅନ୍ତରେ ଅନୁଭବି,

ତାଙ୍କରି ଜ୍ଞାନ ପ୍ରେମ ଲଭି,

ତାଙ୍କରି ଧର୍ମପଥେ ଚଳ,

ହୃଦୟ କରି ନିରିମଳ ।

 

ଜୀବେ ଦୟା

 

ଜୀବନେ ପାଳ ହେ ସୁନୀତି,

ହୃଦୟେ ସଦା ରଖି ପ୍ରୀତି ।

ସକଳ ଜୀବେ ଦୟା ବହି,

ପବିତ୍ର କର ଏହି ମହୀ ।

ପ୍ରଭୁ ଅଖିଳ ପିତାମାତା,

ଅଟନ୍ତି ସର୍ବପରିତ୍ରାତା ।

ଯେତକେ ନରନାରୀ ଭବେ,

ରଖ ହେ ସଦା ଶୁଭମତି ।

ତେଜିଣ ଦ୍ୱେଷ ଅହଙ୍କାର,

ଅହିଂସା ଧର୍ମ କର ସାର ।

ଲଗାଇ ନିଜ ଧନ ପ୍ରାଣ,

ଲୋକର କର ହେ କଲ୍ୟାଣ ।

ପର ଦୁଃଖରେ ହୁଅ ଦୁଃଖୀ,

ପର ସୁଖରେ ହୁଅ ସୁଖୀ ।

ଧନ୍ୟ ସେ ଧନ୍ୟ ନରନାରୀ,

ଜଗତଜନ- ହିତକାରୀ ।

ସୁଖ କରି ବିସର୍ଜନ,

ପରାର୍ଥେ ଧରଇ ଜୀବନ ।

ଆଚରି କ୍ଷମା- ପ୍ରେମବ୍ରତ,

ପାଳଇ ଧର୍ମ ଅବିରତ ।

 

ସତ୍ୟବ୍ରତ

 

ବାଳକେ ମୋର ବୋଲ କର,

ସତ୍ୟ ପାଳିବ ନିରନ୍ତର ।

ସତ୍ୟ ଅଟଇ ଶ୍ରେଷ୍ଠ ଧର୍ମ,

ସତ୍ୟ- ସାଧନ ଶ୍ରେଷ୍ଠ କର୍ମ ।

ବ୍ରହ୍ମାଣ୍ଡ ମଧ୍ୟେ ସତ୍ୟ ସାର,

ସତ୍ୟହିଁ ଏକା ବଳିଆର ।

ପିତାମାତାଦି ବନ୍ଧୁଜନ,

ଐଶ୍ୱର୍ଯ୍ୟ- ପୂର୍ଣ୍ଣ ଏ ଭୁବନ ।

ଆବର ଗୁରୁ ଶାସ୍ତ୍ରବାଣୀ,

ସକଳ ଠୁଳ କର ଆଣି ।

ତଥାପି ସତ୍ୟଠାରୁ ସର୍ବେ,

ନିଊନ ହେବେ ସେ ଗୌରବେ ।

ସତ୍ୟର ଜୟ ଧ୍ରୁବ ବାଣୀ,

ବିଶ୍ୱାସେ ଏହା ଥିବ ଜାଣି ।

ମିଥ୍ୟା ବର୍ଜିବ ସର୍ବକ୍ଷଣେ,

ସତ୍ୟ ସେବିବ ସଯତନେ ।

ସତ୍ୟ-ଚିନ୍ତନ ସତ୍ୟବାଣୀ,

ସତ୍ୟ- ସାଧନ ସାର ଜାଣି,

ପାଳିବ ମହା – ସତ୍ୟବ୍ରତ,

ହୋଇବ ତେବେ ମୋ ଭକତ ।

 

ଜନ୍ମ–ମରଣ

 

ଜଜନୀଗଭୁଁ ଯେଉଁକ୍ଷଣି

ଜନ୍ମି ଛୁଇଁଲ ଏ ଧରଣୀ ।

ତୁମ୍ଭଙ୍କୁ ଦେଖି ହର୍ଷଭରେ

ହସିଲେ କେତେ ନାରୀନରେ ।

କିନ୍ତୁ ହେ ତୁମ୍ଭେ ମାତୃକୋଳେ,

କ୍ରନ୍ଦନ କଲ ମହାରୋଳେ ।

ଏବେ ଦୁର୍ଲଭ ଏ ଜୀବନ;

ଏମନ୍ତେ କର ହେ ଯାପନ ।

ଯେହ୍ନେ ହେ ଶାନ୍ତଭାବେ ବସି,

ଆନନ୍ଦେ ତୁମ୍ଭେ ହସି ହସି,

ମୁଦିବ ଅନ୍ତେ ବେନି ଡୋଳେ;

କିନ୍ତୁ କାନ୍ଦିବେ ମହାରୋଳେ,

ଶୋକେ ଆକୁଳ ନରନାରୀ

ନୟନୁ ଢାଳି ଅଶ୍ରୁବାରି ।

 

ପରିବାର

 

ପିତାମାତା ପରି ଆଉ କେ ଅଛି ସଂସାରେ,

ଧନ୍ୟ ସେ, ଯେ ଦିଏ ପ୍ରାଣ ତାଙ୍କରି ସେବାରେ

ତାଙ୍କ ସ୍ନେହ ଉପକାର ଅତୁଲ୍ୟ ଜଗତେ,

ଭକ୍ତିଭରେ ଶିଶୁଗଣ ସୁମର ସନ୍ତତେ ।

ଭାଇଭଉଣୀଙ୍କଠାରେ ସ୍ନେହଭାବ ବହି,

ତୋଷିବ ତାହାଙ୍କୁ ସଦା ମିଷ୍ଟକଥା କହି ।

କୁଟୁମ୍ଭ ମଧ୍ୟରେ ଯେବା ଥିବେ ଗୁରୁଜନ,

ସମସ୍ତଙ୍କୁ ସ୍ନେହଭକ୍ତି କର ଶିଶୁଗଣ ।

ପାଳିବ ଆନନ୍ଦେ ସଦା ଗୁରୁଜନକଥା,

କଦାପି କାହାରି ମନେ ଦେବ ନାହିଁ ବ୍ୟଥା ।

ବୈକୁଣ୍ଠ ସମାନ ଆହା ଅଟେ ସେହି ଘର,

ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ।

 

ସଙ୍ଗ

 

ସାଧୁ ସୁଜନ ସଙ୍ଗତରେ,

ଧନ୍ୟ ଯେ ନିତ୍ୟ ବାସ କରେ ।

ସଜ୍ଜନ ସଙ୍ଗେ ସଦା ରହି,

ପବିତ୍ର କର ଏହି ମହୀ ।

ଦୁର୍ଜନ ସଙ୍ଗେ କଲେ ବାସ,

ନିଶ୍ଚେ ଘଟିବ ସର୍ବନାଶ ।

ସର୍ପ ସମାନ ଭୟଙ୍କର,

ଦୁର୍ଜନ ଜନେ ପରିହର ।

 

ପରିଶ୍ରମ

 

ଅଳସପଣ ପରିହରି,

ଆନନ୍ଦେ ପରିଶ୍ରମ କରି,

ସତ୍କାର୍ଯ୍ୟ କରି ଅନୁଷ୍ଠାନ,

ସାର୍ଥକ କର ଦେହପ୍ରାଣ ।

ଆଳସ୍ୟେ ବୁଦ୍ଧି ବଳ କ୍ଷୟ,

ଉଦ୍ୟମେ ସର୍ବକାର୍ଯ୍ୟ ଜୟ ।

ଉଦ୍‌ଯୋଗବଳେ ସର୍ବସିଦ୍ଧି,

ଜାଣିବ ଏହୁ ମହାବିଧି ।

 

ବିଦ୍ୟା

ବିଦ୍ୟା ଅଟଇ ମହାଧନ,

ବଳକେ କର ଉପାର୍ଜନ ।

ବିଦ୍ୟା ଅଟଇ ମହାରତ୍ନ,

ହୃଦୟେ ଘେନି କର ଯତ୍ନ ।

ବିଦ୍ୟ ଅଟଇ ମହାମିତ୍ର,

ସେ ସଙ୍ଗେ ହୁଅ ହେ ପବିତ୍ର ।

ବିଦ୍ୟା ଅଟଇ ମହାବଳ,.

ସେ ବଳେ ଜିଣ ଭୂମଣ୍ଡଳ ।

 

ସୁଶୀଳତା

ବିନୟଭାବ ବହି ମନେ,

ସଂସାରେ ଚଳ ସଯତନେ

ସୁଶୀଳ ଶାନ୍ତ ଯାର ପ୍ରାଣ,

ଲଭଇ ନିତ୍ୟ ସେ କଲ୍ୟାଣ ।

କପଟ ଚିନ୍ତା ପରିହରି,

ସରଳ ଭାବ ହୃଦେ ଧରି ।

ଭାଷିଣ ସତ୍ୟପ୍ରିୟବେଣୀ,

ତୋଷିବ ନିତ୍ୟ ସର୍ବପ୍ରାଣୀ ।

 

ଶ୍ରୀରାମବନବାସ

(ରସକୁଲ୍ୟା ବୃତ୍ତ)

 

ଏକେ ତ ଅଯୋଧ୍ୟା ନଗରରାଣୀ,

ଦେବସଭା ମଧ୍ୟେ ଯେହ୍ନେ ଇନ୍ଦ୍ରାଣୀ,

ସିନ୍ଧୁ – ବକ୍ଷେ ଯଥା ରମା ସୁନ୍ଦରୀ,

ସୁରଯୂର ଅଙ୍କେ ରମ୍ୟ ନଗରୀ,

ବିରାଜିତ ଲୀଳାରଙ୍ଗେ,

ଲୋଚନ- କୌମୁଦୀ            ତାହାରି ପ୍ରତିମା

ଖେଳଇ ଶୋଭାତରଙ୍ଗେ ।୧।

 

ସ୍ୱଭାବେ ନଗରୀ ଆନନ୍ଦମୟୀ,

ଯେଣୁ ତାର ସୁତେ ବିଶ୍ୱବିଜୟୀ,

ଆଜି ପୁଣି ତାର ପ୍ରାଣର ରାମ

ସର୍ବଗୁଣାକର କରୁଣାଧାମ,

ହେବେ ବୋଲି ଯୁବରାଜ,

ଭବନେ ଭବନେ            ମହାମହୋତ୍ସବ

ଲାଗିଅଛି ଆହା ଆଜ ।୨।

 

ଉଡ଼ଇ ପତାକା - ଶ୍ରେଣୀ ଅମ୍ବରେ,

ମଙ୍ଗଳ ବାଜଣା ବାଜେ ସୁସ୍ୱରେ,

ଶୁଭଇ ଚୌଦିଗେ ଶୁଭ ସଙ୍ଗୀତ,

ଧୂପ- ପୁଷ୍ପଗନ୍ଧେ ପୁରୀ ପୂରିତ,

ମହାନନ୍ଦେ ପୁରବାସୀ,

ବିବିଧ ବିଧାନେ            ରତ ନରନାରୀ

ଶ୍ରୀରାମ ଶୁଭ ମନାସି ।୩।

 

ବାଳ ବୃଦ୍ଧ ଯୁବା ରୁଣ୍ଡ ଦାଣ୍ଡରେ,

ଜୟ ଜୟ ରାମ- ଧ୍ୱନି ତୁଣ୍ଡରେ,

ସିନ୍ଧୁ ନାଦ ପ୍ରାୟେ ଶୁଭେ ଚହଳ,

ଲହରୀ ପରାଏ ଲୋକଗହଳ,

ପ୍ରାସାଦ ଶିଖରେ ଠୁଳ,

ଘନନୀଳକେଶୀ            ବିଦ୍ୟୁତ୍‌ନୟନା

ଅଯୋଧ୍ୟା -ରମଣୀକୁଳ ।୪।

 

ଉଲ୍ଲାସେ ଆକୁଳ ଅଯୋଧ୍ୟାପ୍ରାଣ,

ପୂର୍ଣ୍ଣିମା ନିଶାନ୍ତେ ସିନ୍ଧୁୌସମାନ,

କିନ୍ତୁ ସହସା କି ଘୋର ବାରତା

ପଶିଲା ଭେଦି ସେ ପୁର ଜନତା-

ରାମ ଯିବେ ବନବାସ,

ଉଇଁଲା ବେଳକୁ            ଦିନକରଶିରୀ

ରାହୁ କିବା କଲା ଗ୍ରାସ ।୫।

 

କେମନ୍ତେ ବର୍ଣ୍ଣିବ ଅଯୋଧ୍ୟା ଦଶା,

ସହସା ବିଷାଦ- ଭାରେ ବିବଶା,

କୋଟି କୋଟି ନେର୍ତ୍ରୁ ବହଇ ନୀର,

ହାହାକାରେ ପୂର୍ଣ୍ଣ କକୋଟି ମନ୍ଦିର

ପ୍ରଭାମୟ ଏ ପ୍ରଭାତେ,

ଅମା- ଅନ୍ଧକାରେ            ଘୋଟିଲା ସେ ପୁରୀ

ଦାରୁଣ ଶୋକନିର୍ଘାତେ ।୬।

 

ଏଣେ ଦେଖ ଆହ ରାଜଭବନେ,

ନିଜେ ଦଶରାଥ ଭୂମିଶୟନେ,

କ୍ରୁର ବ୍ୟାଧଶରେ କୁରଙ୍ଗ ପ୍ରାୟେ,

ଶୋକେ ଅଚେତନ ସେ ନରରାୟେ ।

ସେ ବିଷାଦ କି ବର୍ଣ୍ଣିବ,

ଜୀବନ – ପ୍ରଦୀପ                   ଶୋକ - ବାତାଘାତେ

ଯାଉଛି କି ଆହା ଲିଭି ।୭।

 

ଅନ୍ତଃପୁରେ ଯହିଁ ରାମଜନନୀ,

ପଶିଲା ସେ ଶୋକ ଯେହ୍ନେ ଅଶନି,

ପଡ଼ିଲେ ମୂର୍ଚ୍ଛିତା ଦେବୀ ଭୂତଳେ,

ମୋ ରାମ ରାମରେ ବୋଲି ବିକଳେ,

ବକ୍ଷେ ରଖି ମାତୃଶିର,

ଉଠ ମା’ ଉଠ ମା’            ବୋଲନ୍ତି ଶ୍ରୀରାମ

ସୁଖେ ଦୁଃଖେ ସଦା ଧୀର ।୮।

 

ଯତନେ ପ୍ରବୋଧି ଜନନୀପ୍ରାଣ,

ସମସ୍ତଙ୍କ ପାଶୁଁ ଗୁଣନିଧାନ,

ମାଗିଲେ ମେଲାଣି ସ୍ନେହ-ବଚନେ,

କାନ୍ଦିଲେ ବିକଳେ ଆତ୍ମୀୟଜନେ,

କ୍ରମେ ସେ କ୍ରନ୍ଦନ ରବ,

କୋଟି କୋଟି କଣ୍ଠୁ             ବାହାରି ସଘନେ

ଶବ୍ଦେ ଜିଣିଲା ଅର୍ଣ୍ଣବ ।୯।

 

ସାଧ୍ୱୀ ପତିବ୍ରତା- ମୁକୁଟମଣି,

ଜନକଦୁକହିତା ରାମରମଣୀ,

ପ୍ରାଣକାନ୍ତ ପଦେ ମସ୍ତକ ଥୋଇ,

ପାଦ - ପଦ୍ମ ଅଶ୍ରୁ- ଶିଶିରେ ଧୋଇ,

କହନ୍ତି ‘‘ମୁଁ ଯିବି ବନେ,

ସଙ୍ଗେ ସଙ୍ଗେ ଥିବି                  ଶ୍ରୀପଦ ସେବିବି

ଭିକ୍ଷା ମୋର ଶ୍ରୀଚରଣ ।’’ ।୧୦।

 

ଭକ୍ତିଭରେ ରାମ ଚରଣେ ଚାହିଁ,

‘‘ସେ ଚରଣଯୁଗ ହୃଦରେ ଧରି,

ସଙ୍ଗେ ସଙ୍ଗେ ବନେ ବନେ ବିଚରି,

ଆଜ୍ଞା ପାଳିବ ବନେ ବିଚରି,

ଯାହା ଅବା ରହୁ                  ଲକ୍ଷଣ – ଜୀବନ

ଲକ୍ଷଣର ଏହି ବ୍ରତ ।’’ ।୧୧।

 

ଅବଶେଷେ ରାମ ସୀତା ଲକ୍ଷଣ

ଭକ୍ତିଭରେ ବନ୍ଦି ଗୁରୁଚରଣ,

ବାହାରିଲେ ଯହୁଁ ରାଜଦଣ୍ଡରେ,

ବିକଳେ ବୋଲନ୍ତି ଅଯୋଧ୍ୟା ନରେ-

‘‘ହା ରାମ ସୀତା ଲକ୍ଷଣ !

ଯାଉଅଛ କାହିଁ            କେମନ୍ତେ ବଞ୍ଚିବୁଁ

ନ ଦେଖି ତୁମ୍ଭ ବଦନ ।’’ ।୧୨।

 

କର ଯୋଡ଼ି ରାମ କହନ୍ତି ବାଣୀ-

ପୁରବାସୀ ସର୍ବେ ଦିଅ ମେଲାଣି ।

ତୁମ୍ଭରି ପବିତ୍ର ସ୍ନେହ- ଦୟାରେ

ରଘୁକୁଳ ଖ୍ୟାତ ବିଶ୍ୱ- ସଂସାରେ ।

ସେହି ସ୍ନେହ ସଦା ସ୍ମରି,

ଚତୁର୍ଦ୍ଦିଗ ବର୍ଷ-            ଅନ୍ତେ ବାହୁଡ଼ିବୁଁ

ପୁଣି ଅଯୋଧ୍ୟା ନଗରୀ ।୧୩।

 

ଲାଗିଲା ତୁମ୍ଭଙ୍କୁ ଏ ରଘୁକୁଳ

ପୁଣ୍ୟ ଅଯୋଧ୍ୟାର ଯଶ ଲୋଚନେ,

ଇଷ୍ଟଦେବ ସ୍ମରି ନିର୍ମଳ ମନେ,

ଦୁଃଖୀ ଭିକାରି ପରାଏ,

ବଲ୍‌କଳ ବସନେ                  ଆବରି ଶ୍ରଅଙ୍ଗ

ଗଲେ ବନେ ନରରାୟେ ।୧୪।

 

ନଦୀ ପ୍ରତି

(କାମୋଦୀ ବୃତ୍ତ)

 

ଗିରିବରନନ୍ଦିନୀ ଅଟୁ ତୁହି ତଟିନୀ,

ଗଭୀର ଗହ୍ୱର ଗର୍ଭରେ

ଥିଲୁ ତୁ ଗର୍ଭବାସେ      ନିରୋଳ ଅପ୍ରକାଶେ,

ଲୋକଲୋଚନ ଆଗୋଚରେ ।

କନ୍ଦରେ ଜନନୀକକୋଳରେ

ଜନମି ଶୋଇଲୁ ଭୋଳରେ,

କି ସ୍ୱପନେ ମଗନ            ଥିଲା ତୋହର ମନ

ଅଜ୍ଞାନ ଶୈଶବକାଳରେ ।୧।

 

କ୍ରମେ ଜନ୍ମ - କନ୍ଦରେ       ଅଦଭୁତ ହୁନ୍ଦରେ

ପଶିଲା ଡାକ ଜଗତର,

ଭାଜିଲା ତୋ ସ୍ୱପନ      ମେଲିଲୁ ତୁ ନୟନ,

ଦେଖିଲୁ ଦିବ୍ୟ ରବିକର ।

ନିକଷେ ସ୍ୱର୍ଣ୍ଣରେଖା ସରି

ପତିତ ବକ୍ଷରେ ତୋହର,

ସେ କର ଦରଶନେ            ଥରଥର କମ୍ପନେ

ଥରିଲୁ ବେଗେ ଝରି ଝରି ।୨।

 

ପୁଣି ବ୍ୟୋମବିହାରୀ      ବିହଙ୍ଗମେ ବାହାରି

ଗଗନେ ଗାଇଲେ କି ଗୀତ ।

ତୋର ହୃଦକନ୍ଦର            ଭେଦିଲା ସେହି ସ୍ୱର,

ହେଲା ତୋ ପ୍ରାଣ ଆକୁଳିତ ।

ବୋଇଲୁ ହୋଇ ଛନଛନ,

କେ ମୋତେ ଡାକଇ ଏସନ,

କେ ଢାଳିଲା ଶ୍ରବଣେ      ଅମୃ୍ତ ନମିନ୍ତ୍ରଣେ

କରି ମୋ ମନ ଉଚ୍ଚାଟନ ।୩।

 

ମେଘ ମନ୍ଦ୍ର ଆବର            ଧ୍ୱନିଲା ଆକାଶର

ତୋ ପ୍ରାଣ ଆବେଗ ବଢ଼ାଇ ।

ତା ସଙ୍ଗେ ବର୍ଷାବାରି      ସୁମଧୁରେ ଝଙ୍କାରି

ପଡ଼ିଲା ତୋ ବକ୍ଷରେ ଯାଇ ।

ତୋ ହୃଦ ନୋହିଲା ସମ୍ଭାଳି,

ବୋଇଲୁ ହୃଦ ଦେବି ଢାଳି,

ବାରିବ କିଏ ମୋତେ ?      ଯିବି ମୁଁ ବହି ସ୍ରୋତେ,

ମୋ ଦିନ ଗଲା ଭାଳି ଭାଳି ।୪।

 

ସଙ୍କଳ୍ପ ଅନୁସରି             ତେଜିଲୁ ଗିରିଦରୀ,

ଉଛୁଳି ପଡ଼ିଲୁ ବାହାରେ ।

ବିଶାଳ ଶିଳାରାଶି            ଭେଟିଲୁ ବାଟେ ଆସି,

ରୁଦ୍ଧ ତୋ ପଥ ସେ ବାଧାରେ ।

ତହୁଁ ତୁ ଗଗନେ ଅନାଇ,

ହୃଦୟେ କି ଅଭୟ ପାଇ,

ଗର୍ଜି ଅତି ପ୍ରଚଣ୍ଡେ            ତାଡ଼ିଣ ଶିଳାଖଣ୍ଡେ

ତା ପଛେ ଗଲୁ ତୁ ଗୋଡ଼ାଇ ।୫।

 

ହୃଦୟ ଅନୁରାଗେ            ଧାଇଁଲୁ ଯେତେ ଆଗେ

ଆପଣା ପଥ ଆପେ ଗଢ଼ି ।

ବିଘ୍ନ ବ୍ୟାଘାତରାଶି             ଚାଣ୍ଡେ ଯାଆନ୍ତେ ଭାସି

ଆନନ୍ଦ ତୋର ଗଲା ବଢ଼ି ।

ଆନନ୍ଦେ ବିମଳ, ତରଳ

ତୋ ମୂର୍ତ୍ତି ଦିଶିଲା ଉଜ୍ଜ୍ୱଳ ।

କଳକଳ ନାଦରେ            ତୋ କଣ୍ଠୁ ହର୍ଷଭରେ

ସ୍ଫୁରିଲା ଗୀତ ଅନର୍ଗଳ ।୬।

 

ଗିରିଭୂମି      ବରଜି            ମହାନନ୍ଦେ ଗରଜି

ତୁ ଅବତରିଲୁ ଭୂତଳେ ।

ତୋତେ ଦେଖିବାପାଇଁ ଦଶଦିଗରୁ ଧାଇଁ

ଆନନ୍ଦେ ଆସିଲେ ସକଳେ ।

ଫେନିଳ କଲ୍ଲୋଳ ତୋହର,

ଚଞ୍ଚଳ କଳକଳ ସ୍ୱର,

ବିମଳ ଜଳରାଶି            ଆନନ୍ଦେ ପରକାଶି

ମୋହିଲୁ ସକଳ ଅନ୍ତର ।୭।

 

ତହୁଁ ମଙ୍ଗଳଧ୍ୱନି            ଅନ୍ତରୀକ୍ଷ ଅବନୀ

ବ୍ୟାପିଲା କୋଟି କଣ୍ଠୁ ସ୍ଫୁରି ।

ଶୁଣି ସେ ଶୁଭ ଗୀତି      ଶୁଭ୍ର ଅମୃତ ପ୍ରୀତି –

ରସେ ତୋ ହୃଦ ଗଲା ପୂରି ।

ପ୍ରବାହ ହେଲା ବିସ୍ତାରିତ

ସୁତଟଯୁଗେ ବିମଣ୍ଡିତ ।

କେତେ ଗିରିକୁମାରୀ      ତଟିନୀ ସୁକୁମାରୀ

ମିଳିଲେ ଆସି ତୋ ସହିତ ।୮।

 

ଆଲିଙ୍ଗିଲୁ ଆଦରେ       ଧରି ସଖୀଙ୍କି କରେ,

ହୋଇଲୁ ମିଶି ଏକାକାର ।

ଭଉଁରି ଖେଳେ ମାତି ଚଳିଲୁ ଦିବାରାତି

ବିସ୍ତାରି ପ୍ରବାହ ଉଦାର ।

ଦେଖିଲୁ ଦୁଇ ପାରୁଶରେ

ଲାଗିଛି ଲୀଳା ନିରନ୍ତରେ,

ବହୁ ଗ୍ରାମେ ନଗର            ବନ କ୍ଷେତ୍ର ପ୍ରାନ୍ତର

ଦେଖିଲୁ ତୋ ଚାରୁ କୂଳଳରେ ।୯।

 

ଯାଉଁ ଯାଉଁ ପଥରେ            ମୀନ ନକ୍ର ମକରେ

ମାଗିଲେ ଶରଣ ତୋହର ।

ବିସ୍ତାରିଣ କଲ୍ଲୋଳ            ଆଦରେ ଦେଲୁ କୋଳ

ସକଳ – ଜୀବ -ସୁଖକର ।

ବକ୍ଷରେ ବହିଲୁ ତରଣୀ,

ମଣ୍ଡିଲୁ ଯତନେ ଧରଣୀ,

ଶ୍ୟାମଳ ଦୂର୍ବାଦଳେ,      ପତ୍ର - କୁସୁମ-ଫଳେ,

ଯେଣୁ ତୋ ଜଳ ସ୍ପର୍ଶମଣି ।୧୦।

 

କାହିଁ ଦେବମନ୍ଦିରେ            ଭକ୍ତଗଣ ଗମ୍ଭୀରେ

ପଢ଼ନ୍ତି ସ୍ତବ ଶଦ୍ଧମନେ ।

କାହିଁ ଲୋକଗ ହଳ      ବିକାକିଣା ଚହଳ

କାହିଁ ଚଷନ୍ତି ଚାଷୀ ଜନେ ।

କାହିଁ ବା ଚାଟେ ଚାହାଳିରେ

ପଢ଼ନ୍ତି ପୋଥି ଧୀରେ ଧୀରେ ।

କାହିଁ ବସିଛି ହାଟ            କାହିଁ ରାଜଇ ଘାଟ

ରଚିତ ସୋପାନଶ୍ରେଣରେ ।୧୧।

 

କାହିଁ ନଉଡ଼ି ଧରି            ଚରାଏ ଗୋବାଛୁରୀ

ଗୁଡ଼ ମୂରଲୀ ବଜାଇ ।

କାହିଁ ଧଦାନ ଅମଳ      କରଇ କୃଷୀବଳ

ଖଳାରେ ବେଙ୍ଗଳା ପକାଇ ।

କାହିଁ ବା ତଟ - କାନନରେ

ଭୀଷଣ ଶାର୍ଦ୍ଦୂଳ ବିଚରେ ।

କାହିଁ ଭୀମ ଶ୍ମଶାନେ      ଗୃଧ ଶୃଗାଳ ଶ୍ୱାନେ

ବୁଲନ୍ତି ବିକଟ ନାଦରେ ।୧୨।

 

ଏମନ୍ତେ ବହୁଦେଶେ      ବୁଲି ତୁ ଅବଶେଷେ

ମାର୍ଗରେ ଭେଟିଲୁ ଜୁଆର ।

ବିପୁଳ ପୁଲକରେ            ପୂରି ଯାଇ ଅନ୍ତରେ

ଦିଶିଲୁ ଆହା କି ଉଦାର ।

ଜୁଆର କ୍ରମେ ବାହୁଡ଼ିଲା,

ତୋ ବନୁ କୃଶତା ଭଜିଲା ।

ପୁଣି ଜୁଆର ଭଟା            ଭାଗ୍ୟର ହଟହଟା

ଜୀବନେ ତୋହର ଘଟିଲା ।୧୩।

 

କିନ୍ତୁ ତୁ ଗଲୁ ଚଳି             ଦୁର୍ଦ୍ଦଶା ଦାଉ ବଳି

କି ମହାଧୃତି ହୃଦେ ଧରି ।

ବିଧାତାର କୃପାରେ            ସୁବିପୁଳ ବିସ୍ତାରେ

ପୂରିଲା ପରାଣ ତୋହରି ।

ପଶିଲା ଏବେ ତୋ ଶ୍ରବଣେ

ସାଗରଘୋଷ ଶୁଭ କ୍ଷଣେ ।

ଉଲ୍ଲାସେ ଉନ୍ମାଦିନୀ ହେଲୁ ତୁହି ତଟିନୀ,

ଧାଇଁଲୁ ସାଗରସଦନେ ।୧୪।

 

ଚାହୁଁ ଚାହୁଁ ସୁନୀଳ            ସମୁଦ୍ରେ ତୋ ସଲିଳ

ଦେଲୁ ତୁ ଢାଳି ମହାପୂରେ ।

ଅନନ୍ତ ସିନ୍ଧୁ ସଙ୍ଗେ            ମିଶିଗଲୁ କି ରଙ୍ଗେ

ସକଳ ଭେଦ ଫିଙ୍ଗି ଦୂରେ ।

ଲହରୀ ହୀରକର ହାର

ତୋ କଣ୍ଠେ ତହୁଁ ପାରବାର

ଲମ୍ବାଇ ମହାନନ୍ଦେ            ଗାଏ ଗାୟତ୍ରୀ ଛନ୍ଦେ

ତୋ ସଙ୍ଗେ ସଙ୍ଗୀତ ଉଦାର ।୧୫।

 

ଶୋଭା

(କେଦାର ଚକ୍ରକାଳି ବୃତ୍ତ)

 

କେ ଦେଖିବ ଦେଖ ଫେଡ଼ି ନୟନ,

ଶୋଭାର ଭବନ ଏହି ଭୁବନ ।

ଚୌଦିଗେ ବିସ୍ତାରି ବିମଳ ପ୍ରଭା,

ବସିଛି ଶୋଭାର ଉତ୍ସବ ସଭା ।

ଅନନ୍ତ ଗଗନେ ସଦା ବିହରି

ବିଳସଇ ଶୋଭା ଦିବା – ଶର୍ବରୀ ।

ଦିବସ ଯାମିନୀ ଗଗନପଟେ

କେତେ ରଙ୍ଗେ ଚିତ୍ରେ ପ୍ରାଚୀ ନଗରୀ ।

ପୁଣି ସାୟଂକାଳେ ସେ ଶୋଭାରାଣୀ

ବାରୁଣୀକି କରି ତୋ ରାଜଧାନୀ,

ସ୍ୱର୍ଣ୍ଣମୟ ଦିବ୍ୟ ବେହରଣରେ

ବିରାଜଇ କ୍ଷଣେ ହରଷଭରେ ।

ଦିବସେ ଭାସ୍କର - ଜ୍ୟୋତି ବସନେ

ଶୋଭା ଦେବୀ ବସି ଗଗନାସନେ,

ଆଲୋକର ଧାରା ଧରା ଶରୀରେ

ଢାଳୁଥାଏ ସତୀ ପ୍ରେମବିଧିରେ ।

ସେ ଆଲେକସୁଧା ଲଭି ବସିଧା

ଦିଶେ ଶୋଭାମୟୀ ସ୍ୱଭାବ- ଶୁଦ୍ଧା ।

ଅନ୍ତରୀକ୍ଷେ ମେ ଘ ସେ ଜ୍ୟୋତି ପାଇ,

କ୍ଷଣେ କ୍ଷଣେ ନବ ରୂପ ଦେଖାଇ,

ବିଜୁଳି – ପତାକା ଉଡ଼ାଇ ରଙ୍ଗେ

ଭ୍ରମେ ଚଉଦିଗେ ପବନ ସଙ୍ଗେ ।

ସେ ଆଲୋକ ପାଇ ମହାସମୁଦ୍ର

ବିପୁଳ ଗଭୀର ସୁନ୍ଦର ରୁଦ୍ର ।

ଉଜ୍ଜ୍ୱଳ ଚଞ୍ଚଳ ଲହରୀ ପଶି ଗହନ ବନେ

ତରୁଲତା ସଙ୍ଗେ ଖେଳେ ଗୋପନେ ।

ସୁନ୍ଦର ପଲ୍ଲବ – କୁସୁମ –ଫଳେ

ହରଷେ ମଣ୍ଡଇ ଏ ଭୂମଣ୍ଡଳେ ।

କଠିନ ପାଷାଣ ଗିରି – ହୃଦୟ

ସେ ଜ୍ୟୋତିପରଶେ ମାଧୁରୀମୟ ।

ତା ଦେହେ ବିକଶେ ସହସ୍ର ଛବି,

ଯାର ଦରଶନେ ମୋହିତ କବି ।

ଗିରିଦେହୁଁ ଝରି ଶୁଭ୍ର ନିର୍ଝର

ନଦୀ ସଙ୍ଗେ ମିଳି ଗମେ ସାଗର ।

ସେ ଜ୍ୟୋତି ପରଶି ସରସୀଜଳ

ଫଟାଏ କୁସୁମ -ରାଣୀ କମଳ ।

ଶୋଭାରାଣୀର ସେ ଜ୍ୟୋତି - ସଞ୍ଚାରେ

ବହଇ ଜୀବନ-ସ୍ରୋତ ସଂସାରେ ।

ପଶୁ- ବିହଙ୍ଗମ- କୀଟ-ପତଙ୍ଗେ

ସର୍ବେ ମତ୍ତ ଶୋଭା – ରସ ପ୍ରସଙ୍ଗେ ।

ନରନାରୀ ଶୋଭା – ସମୁଦ୍ରଜଳେ

ସନ୍ତରନ୍ତି ମୀନ-ସମ ବିହ୍ୱଳେ ।

ପୁରୁଷ- ମୂରତି ନାରୀ- ପ୍ରତିମା

ବିକାଶଇ କିବା ଶୋଭା – ମହିମା ।

ପ୍ରଦୋଷରେ ଶୋଭା- ରାଣୀର ତାମସୀ ଛାୟା

ଆଲୋକ ସଙ୍ଗତେ ତମାସୀ ଛାୟା

ମିଳାଏ କୌତୁକେ ବିବାହଛଳେ,

ସେ ଗୂଢ଼ ରହସ୍ୟ ବଚନ ବଳେ ।

ରଜନୀରେ ଶୋଭା - ଦେବୀ ଗମ୍ଭୀରେ

ନଭେ ଶାନ୍ତିମନ୍ତ୍ର ଉଚ୍ଚାରି ଧୀରେ,

ନକ୍ଷତ୍ରଖଚିତ ନୀଳ ଦୁକୂଳେ

ଆବରି ବରାଙ୍ଗ ଶ୍ରୀ ଆଦିମୂଳେ,

ପୂଜଇ ପୁଲକେ ଭକତିଭରେ,

ଅଶେଷ ଆଶିଷ ଲଭେ ହୃଦରେ ।

ଅତବା ବିମଳ କୌମୁଦୀ- ସ୍ରୋତେ

ଭୁବନମୋହିନୀ ପ୍ଳାବି ଜଗତେ,

ଚରାଚରେ କରି ଶୁଭ୍ର ସୁନ୍ଦର

ପୂରେ ମହାନନ୍ଦେ ସର୍ବ ଅନ୍ତର ।

ଜଳେ ସ୍ଥଳେ ନଭେ ଗିରି - କାନନେ

ସମୁଦ୍ରେ ସରିତ ଜନ -ସଦନେ,

ବସନ୍ତେ ନିଦାଘେ ବର୍ଷା-ଶରତେ

ହେମନ୍ତେ ଶିଶିରେ ବିବିଧମତେ,

ବିଜେ ଶୋଭାରାଣୀ ରୂପବିଭବେ

ସ୍ଥିର ସୌଦାମିନୀ ପ୍ରାୟେ ଏ ଭବେ ।

ସେବ ବିଭବ ଦେଖି କୋଟି ହୃଦୟ

ପୁଲକେ ହୁଅଇ ସଙ୍ଗୀତମୟ ।

ପ୍ରଭାତେ ପଦୋଷେ ସଙ୍ଗୀତ ତାନ

ଦିବା ବିଭାବରୀ ବନ୍ଦନା ଗାନ,

ଉଛୁଳି ଉଠୁଛି ମହାଝଙ୍କାରେ

ଶୋଭାରାଣୀଙ୍କର ମହାସଭାରେ ।

ବାଳକବାଳିକା ଆସ ସରବେ,

ଭୁବନନନ୍ଦିନୀ ଶୋଭାବିଭବେ

ଦରଶନ କରି ପ୍ରେମ ନୟନେ

ସଫଳ କର ହେ ନିଜ ଜୀବନେ ।

ସେ ମହାସଭାରେ ବସି ଆନନ୍ଦେ

ଗାଅ ହେ ବନ୍ଦନା ମଧୁର ଛନ୍ଦେ ।

 

ଧ୍ୱନି

(ବଙ୍ଗଳାଶ୍ରୀ ବୃତ୍ତ)

 

ଶୁଣୁଅଛ ସର୍ବେ ଦିବସ-ରଜନୀ

ଜଗତର କୋଳାହଳ,

କୋଟିକୋଟି ରବ,            କୋଟି କୋଟି କଥା

ଶୁଣୁଅଛ ଅବିରଳ ।୧।

ଜଳଦର ମନ୍ଦ୍ର            ଜଳଧିର ଘୋଷା

ନିର୍ଝରିଣୀ କଳସ୍ୱନ,

ସମୀର ପରଶେ            କାନନ ମର୍ମର

ପ୍ରଭଞ୍ଜନ - ଗରଜନ ।୨।

ମଧୁପ ଗୁଞ୍ଜନ             ଝିଙ୍କାରି –ଝଙ୍କାର

ବିହଙ୍ଗର କଣ୍ଠସ୍ୱର,

ଉଷାର ବିମଳ            ମାଧୁରୀ – ପୂରିତ

ପୁଣ୍ୟତାନ ଭରତର ।୩।

କପୋତ ଦ୍ୱନ୍ଦର            ବିକଳ କରୁଣ

ବିଳାପ – ପୁରିତ ଗାନ,

ବସନ୍ତବିଳାସୀ             ବିକ-ଗାୟକର

ଲଳିତ ପଞ୍ଜମତାନ ।୪।

ଘନ ପଲ୍ଲବିତ            ବନଗିରି କୁଁଞ୍ଜେ

ନଦୀ- ସିନ୍ଧୁ ହ୍ରଦ ବକ୍ଷେ ।

କୋଟରେ ବିବରେ            ପର୍ବତକନ୍ଦରେ

କିବା ମୁକ୍ତ ଅନ୍ତରୀକ୍ଷେ ।୫।

ଶୁଣୁଛ ସର୍ବତ୍ର             କୋମଳ କର୍କଶ

ମଧୁର ଭୈରବ ରବ,

ପଶୁପକ୍ଷୀ- କୀଟ,            ପତଙ୍ଗ – ଶବଦେ

ପୂରିତ ବିପୁଳ ଭବ ।୬।

ପୁଣି ଶୁରୁଅଛ            ଲୋକାଳୟେ ବସି

ତିରଳ ମଧୁର ରୋଳ,

କ୍ରୀଡ଼ା କୌତୁକର            କଲ୍ଲୋଳ ଉଚ୍ଛ୍ୱାସ,

ବାଳକବାଳିକା ରୋଳ ।୭।

ବାଜୁଛି କାହିଁ ବା             ଉତ୍ସବ ବାଜଣା,

ଶୁଭୁଛି ଉତ୍ସବ ନାଦ,

କାହିଁ ବା ଉଠୁଛି            କ୍ରନ୍ଦନର ରୋଳ,

କଳୁଷ କଳହ ବାଦ ।୮।

ଶିଶୁର ଦରୋଟି            ଅମୃତ ବଚନ

ସ୍ଥବିରର କ୍ଷୀଣଭାଷ,

ତରୁଣ ଜନର            ଉତ୍ସାହ ପ୍ରଫୁଲ୍ଲ

ବଦନେ ଉଦ୍ଦାମ ହାସ ।୯।

ଗୁରୁଜନଙ୍କର            ସ୍ନେହାଦରମୟୀ

ପୁଣ୍ୟ ଉପଦେଶବାଣୀ,

ଶିଷ୍ୟଜନଙ୍କର             ଭକ୍ତିପୂର୍ଣ୍ଣ କଥା

ଗୁରୁଙ୍କ ଗୌରବ ଜାଣି ।୧୦।

ହଳାହଳମୟ            ଛଳନାପୂରିତ

ନୀଚ ହୀନମତି କଥା,

କ୍ରୋଧ ବିଦ୍ୱେଷର             ବିକଟ ଗର୍ଜନ

ଶୁଣି ତ ଅଛ ସର୍ବଥା ।୧୧।

ଭକ୍ତ ରସନାର            ସୁଧାମୟ ମନ୍ତ୍ର

ବାଜଇ ଯା ପ୍ରାଣଯନ୍ତ୍ରେ,

କବୀର ଅମୃତ            ସଙ୍ଗୀତ- ଝଙ୍କାର

ଭାରାତୀର ବୀଣାଯନ୍ତ୍ରେ । ୧୨।

ସ୍ୱଦେଶବତ୍ସଳ            ବୀର ପୁରୁଷର

ମନ୍ଦ୍ରବାଣୀ ପରମ୍ପରା,

ଶ୍ରବଣେ ଯାହାର             ଅମୃତ ଉତ୍ସାହେ

ଜାଗିଉଠେ ମୃତ ଧାରା ।୧୩।

ଏହିମତେ କୋଟି            କୋଟି ଶବ୍ଦେ ପୂର୍ଣ୍ଣ

ଅନୁକ୍ଷଣ ଏ ଅବନୀ;

କିନ୍ତୁ ଶୁଣିଛି କି             ସେହି ଆଦିମୂଳ

ଅନାଦି ପରମ ଧ୍ୱନି ?୧୪।

ରୋମାଞ୍ଚପୂରିତ            ପୁଲକିତ ଦେହେ

ଶୁଣ ଶୁଣ ବିଶ୍ୱ ଜନେ,

ବିଶ୍ୱ ରନ୍ଧ୍ରେ ରନ୍ଧ୍ରେ            ଯେ ପରମ ଧ୍ୱନି

ଉଚ୍ଛ୍ୱସିତ ସଂଗୋପନେ ।୧୫।

ବିଶ୍ୱ ଭୁବନର            ସୃଷ୍ଟି – ସ୍ଥିତି - ଲୟେ

ନିତ୍ୟ ଉଚ୍ଚାରିତ ବାଣୀ,

ଅନାଦି ଅନନ୍ତ            ଗମ୍ଭୀର ଅମୃତ

ଦ୍ୟୁଲୋକ ଭୂଲୋକ ରାଣୀ ।୧୬।

ସେ ଅମୃତମୟ            ବାଣୀର ଶ୍ରବଣେ

ନାଚଇ ଗଗନେ ତାରା,

ଭୁବନେ ଭୁବନେ            ବହଇ ଆନନ୍ଦେ

ଜୀବନ – ଜାହ୍ନବୀ-ଧାରା ।୧୭।

ଶୁଣ ଶୁଣ ଏବେ            ସେ ବାଣୀ ତୋହରି

ଅନ୍ତରେ ଅଛନ୍ତି ଜାଗି,

ସନ୍ତତେ ତୋ ପ୍ରାଣ-      ମନ୍ଦିର ବମାସିନୀ

ତୋହରି ଉଦ୍ଧାର ଲାଗି ।୧୮।

କହନ୍ତି ସେ ବାଣୀ,            ‘‘ଉଠ ଉଠ ବତ୍ସ,

ଅନାଅ ରେ ବାରେ ମୋତେ,

ଅନନ୍ତ ପ୍ରେମରେ             ନିତ୍ୟ ଆଲିଙ୍ଗନେ

ଧରିଅଛି ସଦା ତୋତେ ।୧୯।

କାହିଁ ଯାଉଛୁ ତୁ ?            କି ଶବ୍ଦ ପଶ୍ଚାତେ

ବୁଲୁଛୁ ରେ ହୋଇ ବାଇ ?

ଅଶବ୍ଦ-ଶବଦ            ମୁଁ ତୋ ପ୍ରାଣେ ଅଛି

ଶୁଣ ଶୁଣ ସଦା ଧ୍ୟାୟି ।୨୦।

ପ୍ରାଣର ନିର୍ମଳ            ପ୍ରେମ ଦିଅ ମୋତେ,

ମୁହିଁ ତ ତୋ ପ୍ରାଣସଖା,

ମୋ ବାଣୀ ଶ୍ରବଣେ            ଭାଜିବ ତୋହର

ବିଷାଦ ଜଞ୍ଜାଳ ଦକା ।’’ ୨୧ ।

 

ବିଧିବିଧାନ

(ଭାଗବତ ବୃତ୍ତ)

 

ବିଧିବିଧାନ ପୁଣ୍ୟମୟ,

ଗାଅ ହେ ସେହି ବିଧି ଜୟ ।

ମଙ୍ଗଳମୟ ସେ ବିଧାନ,

ମହତିମା ତାର କର ଧ୍ୟାନ ।

କୋଟି ଭୁବନ ପଦେ ଯାର

ଆନନ୍ଦେ କରେ ହେ ଜୁହାର,

ସେ ମହାବିଧି ବଳିଆର,

ହେଜ ହେ ନରେ ବାରମ୍ବାର ।

ସେହି ତ ଧର୍ମ ସନାତନ,

ଧରି ରଖିଛି ଏ ଭୁବନ ।

ସେ ଧର୍ମପଥ ମଧୁମୟ,

ତାହାକୁ କର ହେ ଆଶ୍ରୟ ।

ଅଧର୍ମ ପଥ ପରିହରି,

ଦୃଢ଼ ବିଶ୍ୱାସ ହୃଦେ ଧରି,

ସମ୍ପଦେ ଅବା ବିପଦରେ,

ଧର୍ମେ ନ ହୁଡ଼ କେଭେ ନରେ ।

 

ଯେ ଜନ ଧର୍ମ ଆଚରଇ,

ଧନ୍ୟ ଧନ୍ୟ ସେ ପାନଜୟୀ ।

ଧନ୍ୟ ବିଧାନ ବିଧାତାର,

ତା ପଦେ କୋଟି ନମସ୍କାର ।

କର୍ଣ୍ଣବଧ

ମହାଭୟଙ୍କର କୁରୁକ୍ଷେତ୍ର ମହାରଣେ

ସେନାପତି ମହାରଥୀ ଦ୍ରୋଣର ନିଧନେ

ପାଣ୍ଡବ ବିଜୟବାନା ଉଡ଼ିଲା ଆକାଶେ,

କୌରବର ସୈନ୍ୟବୃନ୍ଦ ପଳାଇଲେ ତ୍ରାସେ ।

ଏମନ୍ତ ସମୟେ ଅସ୍ତଗଲେ ନିରାଶ ଅବନୀ ।

କୁରୁରାଣ ଦୁର୍ଯ୍ୟୋଧନ ମହାଦୁଃଖେ କେତେ ମହାରଥୀ

ନୀରବେ ଅଛନ୍ତି ବସି ବେଢ଼ି କୁରୁପତି ।

 

କେତେବେଳେଯାଏ ମୌନେ ରହି ଦୁର୍ଯ୍ୟୋଧନ

ଦୀର୍ଘଶ୍ୱାସ ତେଜି ଦୁଃଖେ କହିଲେ ବଚନ-

‘‘କି ଦଶା ମୋହର ଏବେ ଦେଖୁଅଛ ଶୂରେ,

କି ଆଶା ରହିଲା ଆଉ ମୋର ମର୍ତ୍ତ୍ୟପୂରେ ?

ଗଲେ ଭୀଷ୍ମ ପିତାମହ, ଦ୍ରୋଣ ମହେଷ୍ୱାସ,

 

କାହା ମୁଖ ଅନାଇଁ ମୁଁ ଲଭିବି ଆଶ୍ୱାସ ?

ଏ ସଂକଟେ କି କରିବି, ବୁଦ୍ଧି ଦିଶୁନାହିଁ,

କେ ଅଛ ଏ ବୀରବୃନ୍ଦେ କର ମୋତେ ତ୍ରାହି ।’’

 

ଦୁର୍ଯ୍ୟୋଧନ କଥା ଶୁଣି ଅଙ୍ଗ-ମହୀପତି

ମହାତେଜା ମହାଯଶା କର୍ଣ୍ଣ ମହାମତି

କହିଲେ ଗମ୍ଭୀରେ ବୀର, ‘‘ଆହେ କୁରୁସାଇଁ,

କାହିଁକି ନିରାଶ ତୁମ୍ଭେ, ଭାବନା କିପାଇଁ ?

କେ ଅଛି ଏ ବୀରବୃନ୍ଦେ କା -ପୁରୁଷ ଭୀରୁ,

ଏହିକ୍ଷଣି ପଳାଉ ସେ ଏ ବୀର-ଶିବିରୁ ।

 

ଚକ୍ରନେମିକ୍ରମେ ଭାଗ୍ୟ ଭ୍ରମେ ଏ ଜଗତେ

କେବେ ତଳେ, ଉପରେ ବା କେବେ ଏହିମତେ ।

ଭୀଷ୍ମର ଅଗ୍ରତେ ଛଳେ ଶିଖଣ୍ଡୀ ସ୍ଥାପନେ,

ଅଶ୍ୱତ୍‌ଥାମା ହତ, ଏହି କପଟ ବଚନେ,

ଭୀଷ୍ମ-ଦ୍ରୋଣେ ବଧିଲେ ହେ ଜାଣ ଆହବେ ।

ଜୟଶ୍ରୀ ଛାଡ଼ିଲା ତାଙ୍କୁ ଜାଣ ଏ ଆହବେ ।

 

ପାଣ୍ଡବର ପକ୍ଷପାତୀ ଆବର ସ୍ଥବିର

ଭୀଷ୍ମ-ଦ୍ରୋଣ-ପତନେ ହେ ନ ହୁଅ ଅସ୍ଥିର ।

 

ରଥୀଶୂନ୍ୟ ହୋଇନାହିଁ ହେ କୌରବସାଇଁ,

ଶତବୀରେ ଛନ୍ତି ପାଶେ ପ୍ରାଣ ଦେବାପାଇଁ ।

ଆସ ହେ କୌରବବୀରେ ନବୋତ୍ସାହେ ମାତି,

ଜୀବନ ମୂରୁଛି ରଣେ ନାଶିବା ଅରାତି ।

 

ଦେଖିବା ପାଣ୍ଡବବୀରେ କେଡ଼େ ବଳିଆର,

କାଲି ଅପାଣ୍ଡବ ନିଶ୍ଚେ ହେବ ଏ ସଂସାର ।

ବାଳକାଳୁଁ ତୁମ୍ଭରି ମୁଁ ଆହେ କୁରୁସାଇଁ !

ଏ ଜୀବନେ ଆନ ମୋର ପ୍ରୟୋଜନ ନାହିଁ ।

ଯାବତ ଏ ପିଣ୍ଡେ ପ୍ରାଣ, ପ୍ରତିଜ୍ଞା ମୋହର

ସାଧିବି ତୁମ୍ଭରି କାର୍ଯ୍ୟ କରିଣ ସମର ।

 

କୌରବଗୌରବ -ରବି ଆହେ ଦୁର୍ଯ୍ୟୋଧନ,

ମାତି ବୀରମଦେ କର ରଣ-ଆୟୋଜନ ।’’

କର୍ଣ୍ଣବାଣୀ ଶୁଣି ସର୍ବେ ହରଷିତ ମନ,

ସେହିକ୍ଷଣି ମହାହର୍ଷେ ଉଠି ଦୁର୍ଯ୍ୟୋଧନ

ଆଲିଙ୍ଗିଣ କର୍ଣ୍ଣବୀରେ ମହାପ୍ରେମଭରେ

ବୋଇଲେ ବଚନ ତହୁଁ ଗଦଗଦ ସ୍ୱରେ-

‘‘ଧନ୍ୟ କର୍ଣ୍ଣ ପ୍ରାଣସଖା; ଜୀବନସୋଦର,

କି ଅମୃତ ରସାୟନ ଢାଳିଲ କର୍ଣ୍ଣର !

 

ଆହେ ବଳିଆରଭୁଜ, ତୁମ୍ଭ ଭୁଜବଳେ

ସାଧିଛ ଅନେକ ହିତ ମୋର ଭୂମଣ୍ଡଳେ ।

ବିପଦ-ସାଗରେ ତୁମ୍ଭେ ଏକା କର୍ଣ୍ଣଧାର,

ଏ ଘୋର ସଙ୍କଟୁ ମୋତେ କର ହେ ଉଦ୍ଧାର ।

ବିବୁଧ ସେନାନୀ ହୋଇ କୁମାର ଯେସନ,

ଦୁରନ୍ତ ତାରକାସୁରେ କଲେ ବିନାଶନ,

କୁରୁସେନାପତି ପଦ କରିଣ ଗ୍ରହଣ

ନାଶ ପାଣ୍ଡବର ଦର୍ପ କରି ଘୋର ରଣ ।

 

କାଲି ପ୍ରାତେ ଯଥାବିଧି କରିବି ବରଣ,

ଅନୁମତି ଦିଅ ଏବେ ବୀର ବନ୍ଧୁଗଣ !’’

‘ଜୟ କର୍ଣ୍ଣ’ ‘ଜୟ କର୍ଣ୍ଣ’ ବୋଇଲେ ସକଳେ,

ପୂରିଲା ଆକାଶ ଜୟ-ନାଦ କୋଳାହଳେ ।

ପଶିଲା ସେ ଜୟରୋଳ ପାଣ୍ଡବ-ଶିବିରେ,

ମନ୍ତ୍ରଣାରେ ବସିଥିଲେ ଯହିଁ ସର୍ବବୀରେ ।

 

ଶ୍ରୀକୃଷ୍ଣ ବୋଇଲେ- ‘‘ବୀରେ, କର୍ଣ୍ଣ ମହାରଥୀ

କୌରବସେନାର କାଲି ହେବେ ସେନାପତି ।

ଶର୍ବରୀ ପାହିଲେ ହେବ ତୁମୁଳ ସମର,

 

ପ୍ରସ୍ତୁତ ହୁଅ ହେ ଏବେ ଧର୍ମର କୁମର ।

ସୁର୍ଯ୍ୟସମ ତେଜେ କର୍ଣ୍ଣ ସୂର୍ଯ୍ୟର ନନ୍ଦନ

ଭୂମଣ୍ଡଳେ ସର୍ବଜୟୀ ବୀର ଅରିନ୍ଦମ ।

 

ପଶ୍ଚିମରେ ରତ୍ନାକର ପୂର୍ବେ ମହୋଦଧି,

ଉତ୍ତରେ ହିମାଦ୍ରି ଗିରି ଦକ୍ଷିଣେ ଜଳଧି,

ସର୍ବଜନପଦ ଯାର ନାମେ ବିକମ୍ପିତ,

ସେନାପତି ହେବେ କର୍ଣ୍ଣ ଦୁର୍ଯ୍ୟୋଧନମିତ ।’’

ଯୁଧିଷ୍ଠିର କହନ୍ତି, ‘‘ହେ ପାଣ୍ଡବର ଗତି,

କର୍ଣ୍ଣ ସଙ୍ଗେ ଯୁଝିବାକୁ କାହାର ଶକତି ?

 

କାହାକୁ ସେନାନୀ କାଲି କରିବା ସମରେ,

କହ ହେ କେଶବ ଆଜି ଏହି ଅବସରେ ?’’

ଅର୍ଜ୍ଜୁନେ ଅନାଇ ତହୁଁ ବୋଲନ୍ତି କେଶବ,

‘‘କର୍ଣ୍ଣସମ ଯୋଦ୍ଧା ଏକା ମଧ୍ୟମ – ପାଣ୍ଡବ ।

ପାର୍ଥେ ସେନାପତି ପଦେ ବର ନରପତି,

ରିପୁକୁଳ କ୍ଷୟକରୁ ପାର୍ଥ ମହାମତି ।’’

 

ପାଣ୍ଡବ-ଶିବିରେ ତହୁଁ ‘ଜୟ ପାର୍ଥ’ ନାଦ

ଉଛୁଳିଲା, ରିପୁକୁଳ ଗଣିଲେ ପ୍ରମାଦ ।

 

ନିଶୀଥ ହୋଇଲା ଏବେ, ଉଭୟ ଶିବିରେ

ସ୍ୱପ୍ନ ସହ ନିଦ୍ରାଦେବୀ ବିହରିଲେ ଧୀରେ ।

ଯାମିନୀର ଶେଷଯାମେ କୁରୁସ୍କନ୍ଧାବାରେ

ଭାବୀ ଯୁଦ୍ଧ ଭାଳି ଭାଳି ମଗନ ନିଦ୍ରାରେ ।

କ୍ଷଣମାତ୍ର ରବିସୂନୁ କର୍ଣ୍ଣ ମହାବଳୀ,

ସ୍ତିମିତେ ଜ୍ୱଳଇ ଗୃହେ ରତ୍ନଦୀପାବଳୀ ।

 

ଏସନ ସମୟେ ବୀର ଦେଖିଲେ ସ୍ୱପନେ,

ବିରଥ ହୋଇ ସେ ପଡ଼ିଛନ୍ତି ରଣାଙ୍ଗନେ ।

ଚାରିଆଡ଼େ ଶୁଭୁଅଛି ‘ଜୟ ପାର୍ଥ’ ଧ୍ୱନି,

ବିରସ ବଦନେ କାନ୍ଦୁଛନ୍ତି କୁରୁମଣି ।

କ୍ଷଣକେ ଭାଙ୍ଗିଲା ସ୍ୱପ୍ନ, ଉଚ୍ଚାଟ ହୃଦୟେ

ଜାଗିଲେ ସେ ମହାବୀର ନିଶାନ୍ତ ସମୟେ ।

 

କ୍ଷଣକେ ପୁଣି ସେ ଧୈର୍ଯ୍ୟ ସାହସ ନିର୍ଭରେ

ବୋଇଲେ, ‘‘ରଖିବି ମୋର ପ୍ରତିଜ୍ଞା ସମରେ ।

ହେଉ ଯା ହେବାର, କେଭେ ନ ଛାଡ଼ିବି ପଣ

ଦେଖାଉ କି ଛାର ଭୟ, ଆରେ ରେ ମରଣ !’’

 

ଏହା କହି ଶଯ୍ୟା ତେଜି କର୍ଣ୍ଣ ବୀରବର

ପ୍ରାତଃକୃତ୍ୟ ସାରି ଯୁଦ୍ଧେ ହୋଇଲେ ତତ୍ପର ।

 

ପ୍ରଭାତିଲା ବିଭାବରୀ, ବାଜିଲା ସଘନେ

ଉଭୟ ଶିବିରେ ଶୁଭବାଦ୍ୟ ମହାସ୍ୱନେ ।

ବାଜିଲା ଦୁନ୍ଦୂଭି ଶଙ୍ଖ ଶିଙ୍ଗା ଭେରୀ ତୁରୀ;

ଜୟ କୋଳାହଳେ ଦଶଦିଗ ଗଲା ପୂରି ।

କର୍ଣ୍ଣ କର ଧରି କୁରୁରାଜ ସମାଦରେ

ବସାଇଲେ ତହୁଁ ସ୍ୱର୍ଣ୍ଣ ସିଂହାସନପରେ ।

 

ସେନାପତି ପଦେ ତାଙ୍କୁ ବରିଲେ ଆନନ୍ଦେ,

ବନ୍ଦିଏ ଗାଇଲେ ତାଙ୍କ ସ୍ତୁତି ନାନାଛନ୍ଦେ ।

‘‘ଜୟ ମହାବୀର କର୍ଣ୍ଣ ଅରାତିମର୍ଦ୍ଦନ,

ଜୟ ରଥୀନ୍ଦ୍ର କୌରବ- ଗୌରବବର୍ଦ୍ଧନ,

ବିନାଶ ସମରେ ଆଜି ପାଣ୍ଡବ-ନିଚୟ,

ଜୟ ଅରିନ୍ଦମ କର୍ଣ୍ଣ ଉତ୍ସାହିତ ମନେ

ସାଜିବାକୁ ଆଜ୍ଞା ଦେଲେ କୁରୁ ସୈନ୍ୟଗଣେ

 

ସମରସଜ୍ଜାରେ ତହୁଁ କୁରୁ –କଟକରେ

ସାଜିଲା ଅସଂଖ୍ୟ କୁରୁ –ଥାଟ ରୋଷଭରେ ।

 

ବାହାରିଲେ ମତ୍ତଗଜ, ଲୌହଢାଲ ଶିରେ

ଆସ୍ଫାଳି ପ୍ରକାଣ୍ଡ ଶୁଣ୍ଢ ନାଦନ୍ତି ଗମ୍ଭୀରେ ।

ଗ୍ରୀବାଭଙ୍ଗ କରି କେତେ ତୁରଙ୍ଗମଗଣ

ବାହାରିଲେ ଦର୍ପେ କରି ଖଳୀନ ଚର୍ବଣ ।

 

ଶତ ଶତ ରଥ ଚାରୁ ପତାକାଶୋଭିତ

ଚାହୁଁ ଚାହୁଁ ରଣାଙ୍ଗନେ ଆଆଦି ଅସ୍ତ୍ର ଧରି

ବାହାରିଲେ ପଦାତିକେ ଜୟ –ଧ୍ୱନି କରି ।

ଠୁଳହେଲା ଥାଟଯହୁଁ ସଂଗ୍ରାମ ପ୍ରାଙ୍ଗଣେ,

ସେନାପତି ତୋଷି ସର୍ବେ ଉତ୍ସାହ ବଚନେ ।

 

ମକର ଆକାରେ ବ୍ୟୁହ ରଚିଲେ କୌଶଳେ,

ସମରେ ଆକ୍ରମିବାକୁ ପାଣ୍ଡବର ବଳେ ।

ପାଣ୍ଡବ-ଶିବିରେ ଆଜି ପାର୍ଥ ସେନାପତି

ବାସୁଦେବ-ଉପଦେଶ ଲଭି ହୃଷ୍ଟମତି ।

ଅର୍ଦ୍ଧଚନ୍ଦ୍ରାକାରେ ବ୍ୟୁହ କରିଲେ ନିର୍ମାଣ,

‘ଜୟ ପାର୍ଥ’ କୋଳାହଳେ ପୂରିଲା ବିମାନ ।

 

ଦୁଇଦଳେ ରଣସଜ୍ଜା ହେଲା ଯେଝାମତେ,

ପୂରିଲା ଚୌଦିଗେ ଯୋଦ୍ଧା-ଗଜ-ଅଶ୍ୱ-ରଥେ ।

 

କମ୍ପେ ମହୀ ଚତୁରଙ୍ଗ ସେନା-ପଦ-ଭରେ

ଧୂଳିର ଝଟକା ବେଗେ ଘୋଟିଲା ଅମ୍ବରେ ।

ଶଙ୍ଖ ଆଦି ବାଦ୍ୟରୋଳେ, ଗଜ ଗରଜନେ,

ତୁରଙ୍ଗର ହ୍ରେଷାରବେ, ଅସ୍ତ୍ରର ଝଣ୍‌ଝଣେ ।

 

ସମରସ୍ଥଳର ମହାଘୋର କୋଳାହଳେ,

ମହାତ୍ରାସ ଉପୁଜିଲା ମେଦିନୀମଣ୍ଡଳେ ।

ଦୁର୍ଯ୍ୟୋଧନେ ବୋଲେ ତହୁଁ କର୍ଣ୍ଣ ବୀରବର,

‘‘ମହାରଥୀ ଶଲ୍ୟ ହେଉ ସାରଥି ମୋହର ।

ଆଣ ଏବେ ଶଲ୍ୟେ ସେହି ଚଳାଉ ମୋ ରଥ,

ତାହା ବିନା ଅନ୍ୟ କେହି ନୁହେଁ ସମରଥ ।’’

 

ଶଲ୍ୟପାଶେ ଯାଇ ତହୁଁ ବୀର ଦୁର୍ଯ୍ୟୋଧନ

ବୋଇଲେ, ‘‘ମାତୁଳ ଆଜି ରଖ ମୋ ବଚନ-

କର୍ଣ୍ଣର ସାରଥି ହୁଅ ଆହେ ମହାରଥି,

ତୁମ୍ଭ ବିନା ଏ ସମରେ ନାହିଁ ଅନ୍ୟ ଗତି ।’’

ମଦ୍ରରାଜ ହେଲେ ତହୁଁ କର୍ଣ୍ଣର ସାରଥି,

ପାର୍ଥର ସାରଥି ସଦା କୃଷ୍ଣ ଯଦୁପତି ।

 

ଏଥୁଅନ୍ତେ ଦୁଇଦଳେ ଆରମ୍ଭିଲେ ଋଣ,

ଲକ୍ଷ ଲକ୍ଷ ଶର ଉଡ଼ି ଛାଇଲା ଗଗନ ।

ରଥେ ରଥେ, ଅଶ୍ୱେ ଅଶ୍ୱେ, ବାରଣେ ବାରଣେ,

ପଦାତିକେ ପଦାତିକେ ଭେଟାଭେଟି ରଣେ ।

ଶୂଳ ଚକ୍ର ଗଦା ଖଣ୍ଡା ବରଛା ପ୍ରହାରେ

ଶତ ଶତ ମୁଣ୍ଡ ଖସିପଡ଼େ ବସୁଧାରେ ।

 

ଏକାଳରେ ଭୀମସେନ ଭୀମ ଗଦା କରେ

କୁରୁଥାଟ ପ୍ରତିଧାଏଁ ମହାରୋଷଭରେ ।

ବୃହତ୍‌ ବାରଣବପୃଷ୍ଠେ ଚଢ଼ି ବୃକୋଦର

ଦିଶୁଥାଏ ତେଜୋବନ୍ତ ଯେହ୍ନେ ଦିବାକର ।

ଧାଏଁ ବୀର ଭୀମସେନ ମନ୍ଥି ରଣାଙ୍ଗନ,

ଭେଟିଲା ତାହାଙ୍କୁ ରୋଷେ କୁଳୁତ ରାଜନ ।

 

ଗିରିବର ସମ ଦୁହିଁଙ୍କର କରିବର,

ଆରମ୍ଭିଲେ ଦୁହେଁ ଏବେ ପ୍ରଚଣ୍ଡ ସମର ।

ପରସ୍ପର ପ୍ରହାରିଣ ଅସ୍ତ୍ର ଘନଘନ

ମେଘ ସମ ରଣେ ଦୁହେଁ କରନ୍ତି ଗର୍ଜନ ।

ଭୀମର ପ୍ରଚଣ୍ଡ ଶରାଘାତେ ଅସମ୍ଭାଳେ

 

ପଳାଇଲା କ୍ଷେମମୂର୍ତ୍ତି ହସ୍ତୀ ଗଲାକ ଗୋଡ଼ାଇ,

ମେଘ ପଛେ ମେଘ ଯେହ୍ନେ ବେଗେ ଥାଏ ଧାଇଁ ।

 

କୁଞ୍ଜରେ ସମ୍ଭାଳି ପୁଣି କୁଳୁତ ରାଜନ

ଭୀମର ବାରଣେ ବାଣ ବିନ୍ଧିଲା ବହନ ।

ତହୁଁ ଭୀମ ଗଦାଘାତେ ଶତ୍ରୁର କୁଞ୍ଜରେ

ନାଶି, ହେଲେ ପଡ଼ିଲେ ସେ ଡେଇଁ ଭୁମିପରେ ।

କ୍ଷେମମୂର୍ତ୍ତି ଡେଇଁପଡ଼ି କଲେ ଘୋର ରଣ,

କିନ୍ତୁ ଶେଷେ ଗଦାଘାତେ ଲଭିଲେ ମରଣ ।

 

ଏଣେ ଦେଖ, ମହାକ୍ରୋଧ କର୍ଣ୍ଣ ବୀରବର

ପାଣ୍ଡବସେନାଙ୍କୁ ଶରେ କରଇ ଜର୍ଜର ।

ନାଶଇ ନାରାଚ ବିନ୍ଧି ଅରି ଶତ ଶତ,

ଭେଟିବାକୁ ତାଙ୍କୁ ଏବେ ନକୁଳ ଆଗତ ।

ହେଲା ଏବେ ଦୁହିଁଙ୍କର ରଣ ଭୟଙ୍କର,

ପରସ୍ପରେ ବରଷନ୍ତି ଶତ ଶତ ଶର ।

 

ନକୁଳର ବାଣ କର୍ଣ୍ଣ ଏଡ଼େ ଅନାୟସେ,

କିନ୍ତୁ କର୍ଣ୍ଣବାଣ ପଡ଼ି ତାର ରଥ ଅଶ୍ୱ ନାଶେ ।

ନକୁଳ ଭୂତଳେ ପଡ଼ି ଆକୁଳ ଅନ୍ତରେ

 

ବସିଲା ପଳାଇବାକୁ ମରଣଭୟରେ ।

ହସି ତହୁଁ କର୍ଣ୍ଣବୀର ବୋଇଲେ, ‘‘ରେ ଭୀରୁ,

କି ସାହସେ ଯୁଝିବାକୁ ଆସିଲୁ ଶିବିରୁ !

ଆଜି ତୋତେ ଛାଡ଼ିଦେଲି ପାଣ୍ଡୁ କୁଳାଙ୍ଗାର,

ଭ୍ରାତୃଗଣେ କହ ଯାଇ ଯୁଦ୍ଧ ସମାଚାର ।

 

ଏଣେ ଅଶ୍ୱତ୍‌ଥାମା ଭୀମ ବିଷମ ସମରେ

କୋପେ କରୁଛନ୍ତି ଶରବୃଷ୍ଟି ପରସ୍ପରେ ।

ବିଜୁଳି ପରାୟେ ବାଣ ଚମକେ ଗଗନେ,

ଦୁହିଁଙ୍କର ଦେହୁଁ ରକ୍ତ ବହଇ ସଘନେ ।

ଦୁହେଁ ମହାବଳିଆର ମହାକ୍ରୋଧଭରେ

ନୟନ ତରାଟି ଚାହୁଁଥାନ୍ତି ପରସ୍ପରେ ।

 

ମହା ହୁହୁଙ୍କାର ନାଦେ ବିନ୍ଧୁଥାନ୍ତି ବାଣ,

ବେନି ମହାରଥୀ ଯୁଦ୍ଧେ ଅଟନ୍ତି ସମାନ ।

ଅବଶେଷେ ଯୁଝି ଯୁଝି ଦୁହେଁ ବହୁକ୍ଷଣ

ନିଜ ନିଜ ରଥେ ପଡ଼ି ହେଲେ ଅଚେତନ ।

ଦୁହିଁଙ୍କ ସାରଥି ରହୁଁ ସେହି ରଣଦାଣ୍ଡେ

ରଥୀଙ୍କୁ ଘେନିଣ ରଥେ ପଳାଇଲେ ଚାଣ୍ଡେ ।

 

ଏଥିମଧ୍ୟେ ଧନଞ୍ଜୟ ସଂଶପ୍ତକଗଣେ

ଆକ୍ରମିଲେ ମହାବାହୁ ଭୟଙ୍କର ରଣେ ।

ଶତ ଶତ ବୀର ଏବେ ଅର୍ଜ୍ଜୁନର ଶରେ

ଅକାଳେ ତେଜିଲେ ପ୍ରାଣ ସମରଚତ୍ୱରେ ।

କୁରବୀରମାନେ ତହୁଁ ମହାକ୍ରୋଧଭରେ

ବିନ୍ଧିଲେ ଅର୍ଜ୍ଜୁନେ ଶତ ଶତ ତୀକ୍ଷ୍‌ଣ ଶରେ ।

 

ଏକାକୀ ସହସ୍ର ରଥୀ ପ୍ରାୟେ ଧନଞ୍ଜୟ

ସମସ୍ତ ଶତ୍ରୁଙ୍କୁ କଲେ ସମରେ ଅଥୟ ।

ପ୍ରଭଞ୍ଜନ ଦିଏ ଯେହ୍ନେ ମେଘକୁ ଉଡ଼ାଇ,

ସେହିପରି ଶତ୍ରୁଗଣେ ଦେଲେ ଘଉଡ଼ାଇ ।

ତାହା ଦେଖି ଧାଇଁଆସେ ଦ୍ରୋଣର ନନ୍ଦନ,

ଆକ୍ରମଇ ମହାକୋପେ ଅର୍ଜ୍ଜୁନ ସ୍ୟନ୍ଦନ ।

 

ରେରେକାର କରି ବୋଲେ କୃଷ୍ଣେ, ଦନଞ୍ଜୟେ,

ପେଷିବି ତୁମ୍ଭକୁ ଆଜି ଶମନ ଆଳୟେ ।

ପ୍ରଚଣ୍ଡ କୋଦଣ୍ଡ କରେ ଧରି ବୀରବର

ଅର୍ଜ୍ଜୁନେ, କେଶବେ ବିନ୍ଧେ ଶତ ଶତ ଶର ।

 

ଅଶ୍ୱତ୍‌ଥାମା ବାଣାଘାତେ ବାସୁଦେବ କ୍ଷଣେ

ଝାମଗଲା ପ୍ରାୟେ ପଡ଼ିଗଲେ ସେ ସ୍ୟନ୍ଦନେ ।

 

ତହୁଁ କ୍ରୋଧେ ଗାଣ୍ଡୀବକୁ ଧରି ଧନଞ୍ଜୟ

ମହାବାଣେ ପ୍ରହାରିଲେ ଶତ୍ରୁର ହୃଦୟ ।

ଅଶ୍ୱତ୍‌ଥାମା ସେ ଆଘାତ ଛାଡ଼ି ଘୋର ରଡ଼ି

ଅଚେତନ ହୋଇ ନିଜ ରଥେ ଗଲା ପଡ଼ି ।

କିଛିକ୍ଷଣେ ସଂଜ୍ଞା ଲଭି ଦୋଣର କୁମର

ଲାଜେ ପଳାଇଲେ ରଣୁ ହୋଇଣ କାତର ।

 

କପିଧ୍ୱଜ ରଥେ ଚଢ଼ି ପାର୍ଥ ତହୁଁ ରଣେ

ପୁଣି ଆକ୍ରମିଲେ ସଂଶପ୍ତକ ବୀରଗଣେ ।

ଚାହୁଁ ଚାହୁଁ ସଂଶପ୍ତକେ ଗଲେ ଯମପୁର,

କେଶବ ବୋଲନ୍ତି, ‘‘ଧନ୍ୟ ଧନ୍ୟ ପାର୍ଥ ଶୂର ।’’

ପାଣ୍ଡବପକ୍ଷର ପାଣ୍ଡ୍ୟ ମହାବୀରବର

କୁରୁସେନେ ସଙ୍ଗେ ଏବେ କରନ୍ତି ସମର ।

ସମ୍ଭାଳିବ କିଏ ତାଙ୍କ ପ୍ରଚଣ୍ଡ ପ୍ରହାର ?

 

କରୁଛନ୍ତି ଅବହେଳା ଅରାତି ସଂହାର ।

ଏକାଳରେ ଦେଖି କୁରୁଥାଟର ଦୁର୍ଗତି

 

ଭେଟିଲେ ବହନ ତାଙ୍କୁ ଅଶ୍ୱତ୍‌ଥାମା ରଥୀ ।

ମହାରୋଷେ ମହାରଣେ ବୀର ଦୁଇ ଜଣ

ପରସ୍ପରେ ତୀକ୍ଷ୍‌ଣ ବାଣ କଲେ ବରଷଣ ।

ଦ୍ରୋଣିର ତୁରଙ୍ଗ ପୁଣି ଗୁଣ କୋଦଣ୍ଡର

ହାଣିପକାଇଲେ ପାଣ୍ଡ୍ୟ ବିନ୍ଧି ତୀକ୍ଷ୍‌ଣ ଶର ।

ଚାହୁଁ ଚାହୁଁ ଆନ ଗୁଣ ଦେଇ କାର୍ମୁକରେ

ଅଶ୍ୱତ୍‌ଥାମା ବାଣମାନ ବିନ୍ଧିଲେ କ୍ରୋଧରେ ।

 

ପାଣ୍ଡ୍ୟଙ୍କ ସାରଥୀ ଆଉ ତୁରଙ୍ଗମଗଣେ

କ୍ଷଣକେ ବଧିଲେ ଦ୍ରୋଣି ମାତି ଘୋର ରଣେ ।

ଭୈରବ ଗର୍ଜନେ ତହୁଁ ସେ ପାଣ୍ଡ୍ୟ ରାଜନ

ଖଡ଼ଗରେ କଲେ ଦ୍ରୌଣି କିରଟୀ ଛେଦନ ।

ଲାଜେ କ୍ରୋଧେ ଅଶ୍ୱତ୍‌ଥାମା ଛାଡ଼ିଣ ହୁଙ୍କାର

ପାଣ୍ଡ୍ୟ ଶିରେ ତିନି ଶର କରିଲେ ପ୍ରହାର ।

ଦ୍ରୌଣି-ଶରେ ପାଣ୍ଡ୍ୟ ଆହା ତେଜିଲେ ଜୀବନ,

‘‘ଧନ୍ୟ ଧନ୍ୟ ଅଶ୍ୱତ୍‌ଥାମା’’ ବୋଲେ ଦୁର୍ଯ୍ୟୋଧନ ।

 

ଉଭୟ ପକ୍ଷରୁ କେତେ ରଥୀ ଏହିପରି

ପ୍ରଚଣ୍ଡ ସମରେ ମାତି ବିନାଶିଲେ ଅରି ।

 

କ୍ରମେ କ୍ରମେ ଅସ୍ତାଚଳେ ଗଲେ ଦିବାକର

ନିବର୍ତ୍ତିଲା ସେ ଦିନର ଯୁଦ୍ଧ ଭୟଙ୍କର ।

 

ଏଥୁଅନ୍ତେ ଯଥାକାଳେ ପାହିଲା ରଜନୀ,

ପୂର୍ବ ଆକାଶରେ ବିଜେ ହେଲେ ଦିନମଣି ।

କର୍ଣ୍ଣର ଆଦେଶ ଶଲ୍ୟୁ ଯୋଚି ଅଶ୍ୱବରେ

ରଙ୍ଗେ ଚଳାଇଲେ ରଥ ସମର- ଦାଣ୍ଡରେ ।

ସଙ୍ଗେ ଚଳେ ରଣରଙ୍ଗେ କୁରୁପତି ଥାଟ,

‘‘ଜୟ କୁରୁପତି ଜୟ’’ ଗାଉଅଛି ଭାଟ ।

 

ଏଣେ ଅର୍ଜ୍ଜୁନଙ୍କୁ ଡାକି ରାଜା ଯୁଧିଷ୍ଠିର

ବୋଲନ୍ତି ସେ, ‘‘ସାବଧାନ ହୁଅ ପାର୍ଥ ବୀର,

ଦେଖ ହେ କେମନ୍ତ ବ୍ୟୂହ ରଚିଛି ରାଧେୟ,

ବୃଥା ଦର୍ପେ ମାତି ତାକୁ ନ କର ହେ ହେୟ ।’’

କେଶବର ଉପଦେଶେ ତହୁଁ ପାର୍ଥ ରଥୀ

ସଜାଇଲେ ନିଜ ସେନା କୌଶଳେ ତଡ଼ତି ।

 

ଦ୍ୱିତୀୟ ଦିବସ ରଣ ମହାଭୟଙ୍କର,

ଏ ମର୍ତ୍ତ୍ୟ ଜଗତେ କାହିଁ ଗରଜି ଭୀଷଣେ

ଧାଇଁଲେ ପ୍ରଚଣ୍ଡେ ପରସ୍ପର ଆକ୍ରମଣେ ।

 

କୌରବବାହିନୀ ପ୍ରତି ଧାଇଁ ଧନଞ୍ଜୟ

ପେଷିଲେ ସେ ଶତ ଶତ ବୀରେ ଯମାଳୟ ।

ପାଣ୍ଡବସେନାରୁ କର୍ଣ୍ଣ ବହୁ ବୀରଗଣେ

କ୍ଷଣକେ ବଧିଲେ, ଇନ୍ଦ୍ର ଅସୁରେ ଯେସନେ ।

ଏ ସମୟେ ଯୁଧିଷ୍ଠିର ମିଳିଣ ସମରେ

ଆକ୍ରମିଲେ କର୍ଣ୍ଣବୀରେ ମହାକୋପଭରେ ।

କୋଦଣ୍ଡ ଟଙ୍କାରି ତହୁଁ କର୍ଣ୍ଣ ବୀରବର

ଭେଟିଲେ ସେ ଯୁଧିଷ୍ଠିରେ ପେଷି ତୀକ୍ଷ୍‌ଣ ଶର ।

 

ଯୁଧିଷ୍ଠିର ବାଣାଘାତେ କର୍ଣ୍ଣ ବୀରବର

ମୁହୂର୍ତ୍ତେ ମୂର୍ଚ୍ଛିତ ହୋଇ ପଡ଼ିଲେ ରଥର ।

କ୍ଷଣକେ ଚେତନା ଲଭି ରାଧେୟ ଆବର

ଯୁଧିଷ୍ଠିର ବକ୍ଷସ୍ଥଳେ ବିନ୍ଧିଲେକ ଶର ।

ବାଣେ ବାଣେ ପୁଣି ତାଙ୍କ ତୁରଙ୍ଗ ସାରଥି

ଚାହୁଁ ଚାହୁଁ ବିନାଶିଲେ କର୍ଣ୍ଣ ମହାରଥୀ ।

ରଥଶୂନ୍ୟ ଯୁଧିଷ୍ଠିର ଲଭି ପରାଜୟ

ପଳାଇଲେ ରଣୁ ବେଗେ ବ୍ୟଥିତହୃଦୟ ।

 

ଦ୍ରୌପଦୀର ପାଶେ ଆଜି ବୀର ବୃକୋଦର

ପ୍ରତିଜ୍ଞା କରିଣଥିଲେ ଧରି ଗଦାବର-

‘‘ଆଜି ନିଶ୍ଚେଁ ଅନ୍ଧ ଧ୍ରୁତରଷ୍ଟ୍ର ପୁତ୍ରଗଣେ

ଗୋଟି ଗୋଟି କରି, ଦେବି ! ବିନାଶିବି ରଣେ ।

ଆଜି ଦୁଃଶାସନେ ପେଷିବଇଁ ଯମପୁର,

ପିଇବି ରୁଧିର ତାର ବିଦାରିଣ ଉର ।

 

ଆଜି ପଞ୍ଚଦଶ ବର୍ଷପରେ ଗୋ ପାଞ୍ଚାଳି,

ବନ୍ଧାଇବି କେଶ ତବ ଦ୍ରୁପଦଦୁଲାଳି !’’

 

ଏସନ ବିଷମ ସେହି ପ୍ରତିଜ୍ଞା ଅନ୍ତରେ

ଧରି ଭୀମସେନ ଧାଏଁ ସମର- ଦାଣ୍ଡରେ ।

କୌରବର ରଣ ଅଶ୍ୱ ବାରଣ ପଦାତି

ଗଦା ପ୍ରହାରଣ ଭୀମ ମାରଇ ନିପାତି ।

 

ଏବେ ଧ୍ରୁତରାଷ୍ଟ୍ରଙ୍କର ବହୁ ପୁଏ ଆସି

ଆକ୍ରମିଲେ ବୃକୋଦରେ ଦମ୍ଭ ପରକାଶି ।

ରେରେକାର, ମାର ମାର ଶବଦେ ସେ ବୀରେ

ଭୀମେ ବେଢ଼ି ପ୍ରହାରନ୍ତି ଗଦା ତାର ଶିରେ ।

 

ଭାଜିଗଲା ସମସ୍ତଙ୍କ ଗଦା ଭୀମ ଅଙ୍ଗେ,

ମାତିଲେ ମାରୁତି ତହୁଁ ଘୋର ରଣରଙ୍ଗେ ।

 

ପଳାଇଲେ ରଣସ୍ଥଳୁ କୁରବୀରଗଣ,

ଗୋଡ଼ାଇଲେ ତାଙ୍କ ପଛେ କୁନ୍ତୀଙ୍କ ନନ୍ଦନ ।

ଗଦାବର ଧରି ରୋଷେ ପିଟଇ ପାବନି,

ଶୋଣିତ ଉଦ୍‌ଗାରି ସର୍ବେ ଲୋଟନ୍ତି ଅବନୀ ।

ଭ୍ରାତୃବଧ ଦେଖି ଦୁଃଶାସନ ରୋଷଭରେ

‘‘ଆରେ ଭୀମ ମଲୁ ଆଜି’’ ବୋଲି ଧାଏଁ ଖରେ ।

 

ପରସ୍ପରେ ଭେଟିଲେ ସେ ମହାବୀର ବେନି,

ଦୁହିଁଙ୍କର ପଦଭରେ କମ୍ପଇ ଅବନୀ ।

ମଦମତ୍ତ କରୀସମ ଯୁଝନ୍ତି ଉଭୟେ,

ପରସ୍ପରେ ବରଷନ୍ତି ଖର ଶରଚୟେ ।

ଦୁଃଶାସନ ସାରଥିକୁ ଏକ ବାଣେ ମାରି

ଆନେ ଭୀମ ଦୁଃଶାସନ ବଜ୍ରସମ ମହାଶିରେ,

ମହାରୋଷେ ବିନ୍ଧିଲାକ ବୀର ବୃକୋଦରେ ।

 

ମୂର୍ଚ୍ଛିତ ହୋଇଣ ଭୀମ ପଡ଼ିଲା ସ୍ୟନ୍ଦନେ,

କ୍ଷଣକେ ଚେତନା ଲଭି ପୁଣି ମାତେ ରଣେ ।

 

ବଜ୍ରନାଦେ ଗର୍ଜି ଭୀମ କହେ ଦୁଃଶାସନେ-

‘‘ଆରେ କୁରୁକୁଳାଙ୍ଗାର ନାହିଁକି ରେ ମନେ ।

କେମନ୍ତେ ତୁ ପାପହସ୍ତେ ଦ୍ରୌପଦୀ କୁନ୍ତଳେ

ଧରି ତାଙ୍କୁ ବିବସନ କଲୁ ସଭାତଳେ ।

 

ଆଜି ତାର ପ୍ରତିଫଳ ଦେବି ରେ ବର୍ବର,

ତୋତେ ରେଦଇବ ଆଜି ଛାଡ଼ିଲା ପାମର ।’’

ଏହା କହି ମହାକୋପେ ଗରଜେ ଭୈରବେ,

ଚରାଚର ବିକମ୍ପିତ ଭୀମର ସେ ରବେ ।

ଯମଦଣ୍ଡସମ ମହାଗଦ ଭୁଜଦଣ୍ଡେ

ବୁଲାଇ ଧିଇଲା ବାୟୁକୁମର ପ୍ରଚଣ୍ଡେ ।

 

ହେଳେ ଚଢ଼ିଗଲା ଦୁଃଶା-ରଥେ ବୃକୋଦର,

ସିଂହ ଚଢ଼ିଯାଏ ଯଥା ମହାଗିରିବର ।

ଗଦାର ଆଘାତେ ଦୁହେଁ ହେଲେ ମରାମରି,

ଗଦା ଚୂର୍ଣ୍ଣ ହୁଅନ୍ତ ସେ ହେଲେ ଧରାଧରି ।

ପରସ୍ପର ଭିଡ଼ାଭିଡ଼ି ହୁଅନ୍ତେ ସେ ବୀରେ

ଦୁଃଶାସନ ଗଡ଼ିଯାଇ ପଡ଼ିଲା ମହୀରେ ।

 

ନିମିଷକେ ଉଠି ଦୁଃଶା ଯୁଝଇ ଆବର,

ଅବଶେଷେ ମାଡ଼ିବସେ ରୋଷେ ବୃକୋଦର ।

ଦୁଃଶାସନ ବକ୍ଷେ ବସି ରେରେକାର କରି ।

ଚପଣେ ଚାପଇ ଗଳା ରୁଦ୍ରମୂର୍ତ୍ତି ଧରି ।

ବୁଲାଇଣ ବେନି ଡୋଳା ଦନ୍ତ କଡ଼ମଡ଼ି

ଘଡ଼ଘଡ଼ି ପ୍ରାୟେ ଛାଡ଼େ ମହାଘୋର ରଡ଼ି ।

 

ଦଶ ନଖ ଦଶନରେ ରିପୁବକ୍ଷସ୍ଥଳ

ବିଦାରି ପଅଇ ରକ୍ତ ଭୀମ ମହାବଳ ।

ପୁଣି ସେହି ଠାବେ ଭୀମ କୃଷ୍ଣାଙ୍କୁ ଅଣାଇ

ବୋଲେ, ‘‘ମୋ ପ୍ରତିଜ୍ଞା ପୂର୍ଣ୍ଣ, ଏତେ ଦିନେ ଯାଇ ।’’

ଏହା କହି ଦୁଃଶାରକ୍ତେ ରଞ୍ଜିତ ହସ୍ତରେ

ବାନ୍ଧଇ କୃଷ୍ଣାର କେଶ ମହାହର୍ଷଭରେ ।

 

ଦୁଃଶାର ରୁଧିର ପୁଣି ପିଏ ଅଟ୍ଟହାସେ,

ରାକ୍ଷସ ବୋଲିଣ ଲୋକେ ପଳାଇଲେ ତ୍ରାସେ ।

ଏଥୁଅନ୍ତେ କର୍ଣ୍ଣସୁତ ବୃକ୍ଷସେନ ରଥୀ

କ୍ରୂରକର୍ମା ଭୀମସେନେ ଆକ୍ରମେ ତଡ଼ତି ।

 

ଅଶ୍ୱତ୍‌ଥାମା କୃପାଚାର୍ଯ୍ୟ ଶକୁନି ଆବର

ବରଷିଲେ ଭୀମସେନେ ଶତ ଶତ ଶର ।

 

ଦୂରେ ଯୁଝୁଥିଲେ କର୍ଣ୍ଣ, ଦୁଃଶାସନ ବଧ-

ବାରତା ପାଇଣ କ୍ଷଣେ ହୋଇଲେ ସ୍ତବଧ ।

ଧାଇଁଆସି ଗଜଧ୍ୱଜେ ମିଳିଲେ ସେ ସ୍ଥଳେ,

ତା ଦେଖି ନକୁଳ ବୀର ପୁଣି ଧନଞ୍ଜୟ

ରୋଷଭରେ ସେହିଠାବେ ମିଳିଲେ ଉଭୟ ।

ଲାଗିଲା ତୁମୁଳ ରଣ ଏବେ ଦୁଇଦଳେ,

ଉଲ୍‌କାସମ ଶରରାଶି ଉଡ଼େ ନଭସ୍ଥଳେ ।

 

ମହାବୀର ବୃଷସେନ କର୍ଣ୍ଣର କୁମର

ଜିଣିଲେ ନକୁଳେ କରି ବିଷମ ସମର ।

ନକୁଳ ପଳାଇ ଗଲେ ବୃକୋଦର ପାଶେ,

କୃପ, ଦ୍ରୌଣି ଗୋଡ଼ାଇଲେ ବିକଟ ଉଲ୍ଲାସେ ;

କିନ୍ତୁ ଭୀମ- ବାଣେ ହୋଇ ଉତ୍ପୀଡ଼ିତ ଅତି

ବାହୁଡ଼ିଲେ ଲାଜେ ଦୁଃଖେ ସେହି ଦୁଇ ରଥୀ ।

ଏକବାଣ ବିନ୍ଧେ ଭୀମ ଶକୁନି ଉପରେ,

ପଳାଏ ଶକୁନି ରଣୁ ସେହି ବାଣକରେ ।

 

ଏଣେ ବୃକ୍ଷସେନ ମହାରଥୀ ପାର୍ଥଶରେ

ନିଧନ ଲଭିଲେ ଆହା କର୍ଣ୍ଣ ସମକ୍ଷରେ ।

ଏଥୁଅନ୍ତେ ପୁତ୍ରଶୋକେ ଆକୁଳ, ହୃଦୟ,

ମହାକୋପଭରେ କର୍ଣ୍ଣ ନିତାନ୍ତ ଅଥୟ,

ଆରକ୍ତନୟନ ବୀର ଆସଲେକ ଧାଇଁ

ଚିରରିପୁ ପାର୍ଥ ସଙ୍ଗେ ଯୁଝିବାର ପାଇଁ ।

 

ଦୁଇ ବୀର ରଥାରୂଢ଼, ଅତୁଳବିକ୍ରମ,

ତେଜୋବନ୍ତ ଦିଶୁଛନ୍ତି ଦିବାକରସମ ।

ଶଙ୍ଖନାଦେ କର୍ଣ୍ଣ ପାର୍ଥେ ଆହ୍ୱାନିଲେ ରଣେ,

ଶଙ୍ଖନାଦେ ଉତ୍ତରିଲେ ପାର୍ଥ ସେହିକ୍ଷଣେ ।

ଦୁଇ ବୀରେ ଭେଟାଭେଟି ହୋଇଲେ ସମରେ,

ମତ୍ତ ଗଜବର ଯଥା ମତ୍ତ ଗଜବରେ ।

 

କର୍ଣ୍ଣାର୍ଜୁନ ରଣ ଅହୋ ମହାଭୟଙ୍କର,

ତିନି ଭୁବନରେ ନାହିଁ ତାର ପଟାନ୍ତର ।

କୌରବ ପାଣ୍ଡବବଳ ଚଉପାଶୁଁ ଧାଇଁ

ବେଢ଼ିଗଲେ ସେହି ରଣେ ଯୋଗଦେବାପାଇଁ ।

 

ଦୁଇଦଳେ ସେହି ଭେରୀ ଦୁନ୍ଦୁଭି ବଜାଇ,

କର୍ଣ୍ଣ-ଧନଞ୍ଜୟ ସର୍ବେ ରହିଲେ ଅନାଇ ।

 

କର୍ଣ୍ଣ ଧନଞ୍ଜୟ ଏବେ ଆରମ୍ଭିଲେ ରଣ,

ପରସ୍ପରେ ବାରମ୍ବାର କରି ନିରୀକ୍ଷଣ ।

କର୍ଣ୍ଣର ସାରଥି ଶଲ୍ୟ, କୃଷ୍ଣ ଅର୍ଜୁନର,

ପରସ୍ପରେ ଚାହିଁ ରଥ ବାହାନ୍ତି ସତ୍ୱର ।

ପରସ୍ପରେ ବାଣ ବିନ୍ଧି ବେନି ରଥୀବର

ନିବାରିଲେ ପରସ୍ପର ବାଣ ନିରନ୍ତର ।

 

ଇତିମଧ୍ୟେ କେତେ କୁରୁବୀର ରୋଷଭରେ

ବିନ୍ଧିଲେ ସାୟକମାନ ପାର୍ଥ-ଦାମୋଦରେ ।

ନାଶି ସେହି ଶରମାନ ବୀର ଧନଞ୍ଜୟ

ବାଣେ ବାଣେ ରିପୁଦଳ-ବଳ କଲେ କ୍ଷୟ ।

ମହାଧନୁର୍ଦ୍ଧର କର୍ଣ୍ଣ ଏହି ସମୟରେ

ତୁହାଇ ତୁହାଇ ବିନ୍ଧେ ଶତ ଶତ ଶରେ ।

 

ପ୍ରତିବାଣମାନ ବିନ୍ଧି କୁନ୍ତୀଙ୍କ ନନ୍ଦନ

କଲେ ବେଗେ ସେହି ସବୁ ବାଣକୁ ଛେଦନ ।

 

ପୁଣି ଗାଣ୍ଡୀବକୁ ଧରି କୁଳିଶ ସମାନ

ପେଷିଲେ ସେ ରୋଷଭରେ ଏକ ମହାବାଣ ।

ସେହି ବାଣେ କର୍ଣ୍ଣଙ୍କର ରଥଧ୍ୱଜଦଣ୍ଡ

ଚାହୁଁ ଚାହୁଁ ନିମେଷକ ହେଲା ଖଣ୍ଡ ଖଣ୍ଡ ।

 

ଆନ ଏକ ବାଣ ବିନ୍ଧି କର୍ଣ୍ଣ କଳେବରେ

ପୀଡ଼ିଲେ ବିଷମ କ୍ଳେଶ ସୂର୍ଯ୍ୟର କୁମରେ ।

କର୍ଣ୍ଣ ତହୁଁ ମହାଘୋଷ –ଧନୁ ଧରି କରେ

ବିନାଶିଲେ ବହୁ ଶତ୍ରୁମାନଙ୍କୁ ସମରେ ।

ଏହିପରି କର୍ଣ୍ଣାର୍ଜୁନ ବେନି ବୀରବର

ବାଛି ବାଛି ପରସ୍ପରେ ବରଷନ୍ତି ଶର

 

ବାଣେ ବାଣେ ଉଭୟର ରଥ ଗଲା ଛାଇ,

ତଥାପି ପେଷନ୍ତି ବାଣ ତୁହାଇ ତୁହାଇ ।

ଏଥୁଅନ୍ତେ ମହାବୀରବର ସବ୍ୟସାଚି

ଶଲ୍ୟକୁ ବିନ୍ଧିଲେ ବାଣ ଦୁଇଗୋଟା ବାଛି ।

ଆବର ବିନ୍ଧିଲେ କର୍ଣ୍ଣେ ଦଶଗୋଟା ଶର,

କର୍ଣ୍ଣ କଳେବରୁ ରକ୍ତ ବହେ ଝରଝର ।

 

ମହାପୀଡ଼ା ପାଇ ଅତି କ୍ରୋଧଭରେ

କେଶବ ବିନ୍ଧିଲେ ପାଞ୍ଚଗୋଟା ତୀକ୍ଷ୍‌ଣଶରେ ।

କୃଷ୍ଣଙ୍କର ପୀଡ଼ା ଦେଖି ପାର୍ଥ ମହାବଳୀ

ଶୁଷ୍କଘାସେ ଅଗ୍ନିସମ କ୍ରୋଧେ ଉଠେ ଜ୍ଜ୍ୱଳି ।

ଆକର୍ଣ୍ଣ ଓଟାରି ପୁଣି ପେଷେ ଦୁଇ ତୀର,

ସେ ବାଣରେ ବିଚଳିତ ହେଲେ କର୍ଣ୍ଣ ବୀର ।

 

କେହି କାହାଠାରୁ ଉଣା ନୁହେଁ ବିକ୍ରମରେ,

ଜାଣିହେଉନାହିଁ, କିଏ ଜିଣିବ ସମରେ ।

ଏ ସମୟେ ନାଗବାଣ ନାମେ ଭୟଙ୍କର

ବାଣଏକ ବିନ୍ଧଲେ ସେ ସୂର୍ଯ୍ୟଙ୍କ କୁମର ।

କିରୀଟି- କିରୀଟ ସେହି ଭୟଙ୍କର ଶରେ

ଚୂର୍ଣ୍ଣ ହୋଇ ପଡ଼ିଲା ସେ ଧରଣୀତଳରେ ।

 

ରୁଦ୍ର-ପରାକ୍ରମେ ତହୁଁ ପାର୍ଥ ବୀରବର

ଶରେ ଶରେ ପ୍ରହାରିଲେ କର୍ଣ୍ଣ କଳେବର ।

ମୁକୁଟ ପଡ଼ିଲା ଖସି କର୍ଣ୍ଣ ମସ୍ତକରୁ,

ଖସିଣ ପଡ଼ିଲା ପୁଣି ଶରାସନ କରୁ ।

 

ମହାରୋଷେ କର୍ଣ୍ଣ ତହୁଁ ଧନୁ ତୋଳି କରେ

ଶତ ଶତ ବାଣ ବିନ୍ଧେ ପାର୍ଥ ଧନୁର୍ଦ୍ଧରେ ।

 

ପାର୍ଥର ଶରୀରେବ ହେ ରୁଧିରର ଧାର,

କ୍ରୋଧେ ଧନଞ୍ଜୟ କଲେ ଧନୁରେ ଟଙ୍କାର ।

କର୍ଣ୍ଣ-ବାଣାଘାତେ ଛିଣ୍ଡିଗଲା ଧନୁ ଗୁଣ,

ପୁଣି ଚଢ଼ାଇଲେ ନୂଆ ଗୁଣ ସେ ଅର୍ଜୁନ ।

ଏ ସମୟେ କର୍ଣ୍ଣ ରଥ ବସିଗଲା ତଳେ,

ଗ୍ରାସକଲା ମହୀ ରଥ-ଚକ୍ରେ ରଣସ୍ଥଳେ ।

 

ଓହ୍ଲାଇ ତଳକୁ କର୍ଣ୍ଣ ତୋଳଇ ଯେତିକି,

ପଶିଯାଏ ରଥ ଚକ ଭୂମିରେ ତେତିକି ।

ପାର୍ଥେ କହେ ଦୀର୍ଘଶ୍ୱାସ ତେଜି ବୀରବର-

‘‘ରଥଶୂନ୍ୟ ମୁହିଁ ଏବେ, ସମର ସମ୍ବର ।

ତୁମ୍ଭେ ରଥେ,ମୁଁ ତଳରେ, ଏହି ଅସମୟେ

ରଥ ତୋଳିବାକୁ ବେଳ ଦିଅ ଧର୍ମଭୟେ ।’’

 

କେଶବ କହନ୍ତି ତହୁଁ ଶୁଣି କର୍ଣ୍ଣବାଣୀ,

‘‘ଧର୍ମଭୟ କଥା କାହୁଁ ଅଛି ଆଜି ଆଣି !

 

କାହିଁ ଥିଲା ଧର୍ମଭୟ, ଯେବେ ଦୁଃଶାସନ

ଦ୍ରୌପଦୀକୁ ସଭାତଳେ କଲା ବିବସନ ?

ଜତୁଗୃହଦହନର, କପଟ ପଶାରେ,

କହ କର୍ଣ୍ଣ, ଧର୍ମଭୟ ଥିଲା କେଉଁଠାରେ ?

ପାଣ୍ଡବଙ୍କ ବନବାସେ, ସାମ୍ରାଜ୍ୟହରଣେ,

କାହିଁ ଥିଲା ଧର୍ମ ଅଭିମନ୍ୟୁ – ବିନାଶନେ ?’’

 

କୃଷ୍ଣବାଣୀ ଶୁଣି ଏବେ ପାର୍ଥ ମହାବୀର

ପୂର୍ବକଥା ସ୍ମରି ହେଲେ କ୍ରୋଧରେ ଅଧୀର ।

ତାହା ଦେଖି କର୍ଣ୍ଣବୀ ଅର୍ଜ୍ଜନ ଉପରେ

କ୍ଷେପିଲେ ଦାରୁଣ ଶର ମହାକ୍ରୋଧଭରେ ।

ଅଶନି ସମାନ ସେହି କର୍ଣ୍ଣବୀର ତୀର

ଧନଞ୍ଜୟ ବକ୍ଷେ ବାଜି ବୁହାଏ ରୁଧିର ।

ସମ୍ଭାଳି ନ ପାରି ପଡ଼ିଲେ ସ୍ୟନ୍ଦନେ

କର୍ଣ୍ଣ ତହୁଁ ଲାଗିଗଲେ ରଥ ଆକର୍ଷଣେ ।

 

ସଂଜ୍ଞା ଲଭି ଧନଞ୍ଜୟ ଏହି ଅବସରେ

ବିନ୍ଧିଲେ ପ୍ରଚଣ୍ଡେ ବୀର ଆଞ୍ଜଳିକ ଶରେ ।

 

ଅର୍ଜୁନ ନିକ୍ଷିପ୍ତ ସେହି ମହାଦିବ୍ୟଶର

ସାୟନ୍ତନ ଗଗନକୁ କରିଲା ଭାସ୍ୱର ।

ଇନ୍ଦ୍ର – ବଜ୍ର ବୃତ୍ରାସୁର ମସ୍ତକେ ଯେସନ,

ଆଞ୍ଚଳିକ କର୍ଣ୍ଣଶିରେ ଛେଦିଲା ତେସନ ।

ସନ୍ଧ୍ୟାକାଳେ ଅସ୍ତାଚଳେ ଯେହ୍ନେ ଦିବାକର,

ପଡ଼ିଲା ଅବନୀତଳେ ମସ୍ତକ କର୍ଣ୍ଣର ।

 

ପାଞ୍ଚଜନ୍ୟ ଦେବଦତ୍ତ ଶଙ୍ଖଦ୍ୱୟ ଘେନି

ହର୍ଷେ ଜୟଧ୍ୱନି କଲେ କୃଷ୍ଣାର୍ଜ୍ଜୁନ ବେନି ।

ପାଣ୍ଡବବାହିନୀ ତହୁଁ ମାତିଣ ଉଲ୍ଲାସେ

ସିଂହନାଦ କଲେ ସର୍ବେ ଧନଞ୍ଜୟପାଶେ ।

କର୍ଣ୍ଣର ମରଣ ଦେଖି ରାଜା ଦୁର୍ଯ୍ୟୋଧନ

ନିରାଶ ଅନ୍ତରେ କଲେ ବହୁତ ରୋଦନ ।

କୁରୁଥାଟ ବୁଡ଼ଗଲା ଦୁ।ଖପାରାବାରେ

କାତରେ କାନ୍ଦିଲେ ସର୍ବେ ଶୋକେ ହାହାକାରେ !